Categories: ଗଞ୍ଜାମ

ବାଇକ୍‌ ଦୁର୍ଘଟଣାରେ ଗୁରୁତର ବୃଦ୍ଧଙ୍କ ଜୀବନ ଗଲା : ପ୍ରତିବାଦରେ ରାସ୍ତା ଅବରୋଧ

ଦିଗପହଣ୍ଡି,୧୮ା୫(ଡି.ଏନ୍‌.ଏ.):ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ବାଗଡ଼ା ଗାଁ ଛକ ନିକଟରେ ବାଇକ ଦୁର୍ଘଟଣାରେ ଶନିବାର ପୂର୍ବାହ୍ନରେ ୨ ଯୁବକଙ୍କ ସମେତ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଏହାର ପ୍ରତିବାଦରେ ଲୋକେ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି। ପ୍ରକାଶଥାଉ କି, ସେହି ସ୍ଥାନରେ ଶୁକ୍ରବାର ରାତିରେ ବାଇକ ଧକ୍କାରେ ଉଦୟନାଥ ପାଣିଗ୍ରାହୀ ନାମକ ଜଣେ ବୃଦ୍ଧ ଗୁରୁତର ହୋଇଥିଲେ। ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଶନିବାର ପୂର୍ବାହ୍ନରେ ପୁଣି ଏକ ବାଇକ ପଛପଟୁ ଧକ୍କା ଦେବାରୁ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଦିଗପହଣ୍ଡି ଏବଂ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତରମାନେ ହେଲେ ଚକପଡ଼ାର ତ୍ରିନାଥ ସେଠୀ(୨୭), କୃଷ୍ଣଶରଣପୁରର ବୁଲୁ ଗୌଡ଼(୨୮) ଏବଂ ବାଗଡ଼ାର ମଙ୍ଗୁଳୁ ଡାକୁଆ(୬୦)। ଦୁର୍ଘଟଣା ସମ୍ପର୍କରେ ଦିଗପହଣ୍ଡି ପୋଲିସକୁ ଖବର ଦିଆଯିବା ସତ୍ତ୍ୱେ ଘଟଣାସ୍ଥଳକୁ ନ ଆସିବାରୁ ଗ୍ରାମବାସୀ ରାସ୍ତାରେ ପଥର ପକାଇ ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ଥାନା ଏସଆଇ ମଧୁସ୍ମିତା ପ୍ରଧାନ, ମାଧବ ଚନ୍ଦ୍ର ଟାକ୍‌ରି ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ପୋଲିସ ଜବତ କରି ତଦନ୍ତ ଚଳାଇଛି।