ବାଇକ୍‌ ଲୁଟ୍‌ ଘଟଣାରେ ୩ ଗିରଫ

ବଲାଙ୍ଗୀର ଅଫିସ,୨୧ା୧୨: ବାଇକ୍‌ ଲୁଟ୍‌ ଘଟଣାରେ ବଲାଙ୍ଗୀର ଟାଉନ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାଟଣାଗଡ ଥାନା ଅନ୍ତର୍ଗି ସିଲେଟ୍‌ପଡା ଗ୍ରାମର ଭାସ୍କର ବନ୍‌ଛୋର ଓ ସାନନ୍ଦ ନାଏକ ଏବଂ ଲରମ୍ଭା ଥାନା ଗୁଞ୍ଜାଡିହି ଗ୍ରାମର ପ୍ରେମାନନ୍ଦ ଥପା। ସେମାନଙ୍କଠାରୁ ପୋଲିସ ଦୁଇଟି ଚୋରି ବାଇକ୍‌ ଉଦ୍ଧାର କରିଛି। ବାଇକ ଲୁଟ୍‌ ଘଟଣାକୁ ନେଇ ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଥିଲେ। ଗତ ନଭେମ୍ବର ୧୪ ତାରିଖ ଦିନ ବଲାଙ୍ଗୀର ସିଡିଏମ୍‌ଓ ଅଫିସ ନିକଟରୁ ସହର ପ୍ୟାଲେସ ଲାଇନ୍‌ର ପ୍ରେମାନନ୍ଦ ସାହୁଙ୍କ ବଜାଜ ପ୍ଳାଟିନା (ଓଡି୦୩ଜେ୯୮୬୩) ବାଇକ୍‌ ଚୋରି ହୋଇଯାଇଥିଲା। ଏ ନେଇ ସାହୁ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଏକ ମାମଲା (ନଂ. ୫୧୭/୧୯) ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତରୁ ଉକ୍ତ ପ୍ଳାଟିନା ଚୋରି ବାଇକ୍‌କୁ ଗୁଞ୍ଜାଡିହି ଗ୍ରାମର ପ୍ରେମାନନ୍ଦ ଥପା କିଣିଥିବା ସୂଚନା ମିଳିଥିଲା। ପୋଲିସ ଉକ୍ତ ଚୋରି ବାଇକ୍‌କୁ ତାଙ୍କଠାରୁ ଜବତ୍‌ କରିବା ପରେ ଜେରା କରିଥିଲା। ଥପା ଉକ୍ତ ବାଇକକୁ ସିଲେଟ୍‌ପଡା ଗ୍ରାମର ଭାସ୍କର ଓ ସାନନ୍ଦଙ୍କଠାରୁ କିଣିଥିବା କହିଥିଲେ। ଏହାପରେ ପୋଲିସ ଟିମ୍‌ ସିଲେଟପଡାର ଉଭୟ ଅଭିଯୁକ୍ତଙ୍କ ଘରେ ଚଢ଼ାଉ କରି ସେଠାରୁ ଭାସ୍କର ଓ ସାନନ୍ଦଙ୍କୁ ଗିରଫ କରିଥିଲା। ସେଠାରେ ତଲାସୀ ନେବାବେଳେ ଏକ ହିରୋ ଆଇ-ସ୍କାର୍ଟ ବାଇକ୍‌ (ଓଡି୧୭ଇ ୧୪୩୧) ମିଳିଥିଲା। ଉକ୍ତ ବାଇକ୍‌କୁ ଉଭୟ ଅଭିଯୁକ୍ତ ସୁବର୍ଣ୍ଣପୁର ଜିଲାର ଡୁଙ୍ଗୁରିପାଲି ଥାନା ଅଞ୍ଚଳରୁ ଚୋରି କରିଥିବା ସ୍ବୀକାର କରିଥିଲେ। ଶନିବାର ଖବରଦାତା ସମ୍ମିଳନୀରେ ଗିରଫ ତିନି ଅଭିଯୁକ୍ତ ଭାସ୍କର ଥପା, ସାନନ୍ଦ ନାଏକ ଓ ପ୍ରେମାନନ୍ଦ ଥପାଙ୍କୁ ହାଜର କରାଯାଇଥିଲ। ଖବରଦାତା ସମ୍ମିଳନୀରେ ଟାଉନ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ଉପସ୍ଥିତ ଥିଲେ। ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟଚାଲାଣ  କରାଯାଇଛି।

Share