ବାଇକ୍‌ ଷ୍ଟଣ୍ଟ୍‌କୁ ନେଇ ଆକ୍ରମଣ ଘଟଣାରେ ଆଉ ୩ ଗିରଫ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ବିପଜ୍ଜନକ ଭାବେ ବାଇକ୍‌ ଷ୍ଟଣ୍ଟ୍‌ କରି ଧୂଳି ଉଡ଼ାର ପ୍ରତିବାଦ କରିଥିବା ଯୁବତୀଙ୍କୁ ଗାଳିଗୁଲଜ ଓ ତାଙ୍କ ବାପାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଅଞ୍ଚଳର ଚିତ୍ତ ରଞ୍ଜନ ଦାସ, ରାଜା ଦାସ ଓ ରୋହିତ ଦାସ। ସୂଚନା ମୁତାବକ, ଭରତପୁର ଅଞ୍ଚଳରେ ନାରାୟଣ ବେହେରା ପରିବାର ସହ ରୁହନ୍ତି। ଗତ ସୋମବାର ଅପରାହ୍ନରେ ନାରାୟଣଙ୍କ ଘର ନିକଟରେ କେତେଜଣ ଯୁବକ ବାଇକ ଷ୍ଟଣ୍ଟ କରି ଦ୍ରୁତଗତିରେ ଗାଡ଼ି ଚଳାଇ ଧୂଳି ଉଡ଼ାଉଥିଲେ। ଏହାକୁ ନାରାୟଣଙ୍କ ଝିଅ ବାରଣ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ଏହା ଦେଖି ନାରାୟଣ ସେଠାରେ ପହଞ୍ଚତ୍ ପ୍ରତିବାଦ କରିଥିଲେ। ଏଥିରେ ଅଭିଯୁକ୍ତମାନେ ଉତ୍ତ୍ୟକ୍ତ ହୋଇ ନାରାୟଣଙ୍କୁ ମାଡ଼ମାରି ତାଙ୍କ ନାକ ଫଟାଇ ଫେରାର ହୋଇଯାଇଥିଲେ। ଅଭିଯୋଗ ପରେ ପୋଲିସ ୩୭/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଉକ୍ତଦିନ ଅଭିଯୁକ୍ତ କାହ୍ନା ଦାସଙ୍କୁ ଗିରଫ କରାଯାଇଥିଲା।

Share