ବାଇକ ଆରୋହୀଙ୍କଠାରୁ ୫.୭ଲକ୍ଷ ଲୁଟିନେଲେ

କଣ୍ଟାବାଞ୍ଜି, ୧୫ା୧୨(ଡି.ଏନ.ଏ.):ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିି ଥାନା ୨୬ନଂ ରାଜ୍ୟ ରାଜପଥର କାନୁଟ-ତଅଁଲା ଇଲେକ୍ଟ୍ରି ଗ୍ରୀଡ ନର୍ସରୀ ନିକଟରେ ରବିବାର ସନ୍ଧ୍ୟାରେ ମୁଖାପିନ୍ଧା ଲୁଟେରା ଜଣେ ବାଇକ ଆରୋହୀଙ୍କଠାରୁ ୫ଲକ୍ଷ ୭୦ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ଏସ.ରେଡ୍ଡି ଲୁଟେରାଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ କଣ୍ଟାବାଞ୍ଜିି ଥାନା ଆଇଆଇସି ବିଜୟାନନ୍ଦ କରକରା ହସପିଟାଲକୁ ଯାଇ ଆହତଙ୍କୁ ପଚରାଉଚରା କରିବା ସହ ଘଟଣାର ଅନୁସନ୍ଧାନ କରିଥିଲେ। ଲୁଟେରାଙ୍କୁ ଧରିବା ପାଇଁ ନିକଟସ୍ଥ ଥାନାଗୁଡିକୁ ସୂଚନା କରାଯାଇଥିବା କରକରା କହିଛନ୍ତି। କଣ୍ଟାବାଞ୍ଜି ଅନୀଲ ବ୍ରଦର୍ସରେ କାମ କରୁଥିବା ଏସ.ରେଡ୍ଡି ବିଭିନ୍ନ ବ୍ୟବସାୟୀଙ୍କଠାରୁ ଉକ୍ତ ଟଙ୍କା ସଂଗ୍ରହ କରି ବାଇକରେ ଫେରିବା ବାଟରେ ତଅଁଲା ଛକ ନିକଟରେ ଏହି ଘଟଣା ଘଟିଛି।

Share