Categories: ଗଞ୍ଜାମ

ନିର୍ବନ୍ଧର ଗୋଟିଏ ଦିନ ପୂର୍ବରୁ ଯୁବକ ମୃତ

ଜଗନ୍ନାଥପ୍ରସାଦ,୨୧।୫(ଡି.ଏନ.ଏ.)-ନିର୍ବନ୍ଧର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ଜଣେ ଯୁବକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ୨୧ନଂ. ରାଜ୍ୟ ରାଜପଥର କୁମ୍ପାପଡା ଗ୍ରାମ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ବଳରାମ ମହାପାତ୍ର (୨୩)। ତାଙ୍କ ବାଇକ୍‌ ସାମ୍‌ନାକୁ ହଠାତ୍‌ ଏକ ହରିଣ ପଶି ଆସିଥିଲା। ଫଳରେ ବଳରାମ ବାଇକ୍‌ ଉପରୁ ଭାରସାମ୍ୟ ହରାଇ ହରିଣକୁ ଧକ୍କା ଦେବା ସହିତ ରାସ୍ତା ଉପରେ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ହରିଣର ମୃତ୍ୟୁ ଘଟିଥିଲା ବେଳେ ବଳରାମଙ୍କୁ ଗୁରୁତର ଅବସ୍ଥାରେ ଜଗନ୍ନାଥପ୍ରସାଦ ଡାକ୍ତରଖାନାକୁ ଅଣାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ବଳରାମଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରୁଛି । ପଞ୍ଚଭୂତି ବନ ବିଭାଗ ପକ୍ଷରୁ ହରିଣ ମୃତଦେହ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି।
ସୂଚନାଯୋଗ୍ୟ,ବେଲଗୁଣ୍ଠାର ବଳରାମ ନିଜ ନିର୍ବନ୍ଧ ଖବର ଦେବାପାଇଁ ସୋମବାର ଶରଣକୁଳସ୍ଥିତ ମାମୁଘରକୁ ଯାଇଥିଲେ। ମଙ୍ଗଳବାର ସକାଳେ ସେ ବାଇକରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।