ବାଇଗଣରେ ପୋକ ଥାଉ, ଭୂତାଣୁ ନ ଥାଉ: ବାଗ୍‌ଚୀ

ଭୁବନେଶ୍ୱର, ୧୧ା୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ପ୍ରତିଦିନ ସୂଚନା ପ୍ରଦାନ କରୁଛନ୍ତି। ଶୁକ୍ରବାର ମଧ୍ୟ ଜନସାଧାରଣଙ୍କୁ ଦୁଇଟି ପରାମର୍ଶ ଦେଇଛନ୍ତି। ଗୋଟିଏ ଉଦାହରଣରେ ସେ ବାଇଗଣର କଥା କହିଥିବାବେଳେ ଅନ୍ୟଟିରେ ମାସ୍କ ପିନ୍ଧିବା କେତେ ଜରୁରୀ ସେନେଇ ବୁଝାଇଛନ୍ତି। ସେ କହିଛନ୍ତି, ବଜାରକୁ ଗଲେ ସାମାଜିକ ଦୂରତ୍ୱକୁ ବଜାୟ ରଖୁଛୁ। କିନ୍ତୁ ଆମର ପୁରୁଣା ଅଭ୍ୟାସ ରହିଛି ଯେ, ଆମେ ପରିବା କିଣିବାକୁ ଗଲାବେଳେ ପ୍ରତି ପରିବାକୁ ନିଜେ ବାଛି ବାଛି ଆଣୁ। ପରିବାକୁ ଘାଣ୍ଟିବା ଦ୍ୱାରା ସଂକ୍ରମଣର ଅଧିକ ଆଶଙ୍କା ଥାଏ। ତେଣୁ ବର୍ତ୍ତମାନ ସମୟରେ ବାଇଗଣରେ ପୋକ ପଛେ ଥାଉ ହେଲେ ଭୂତାଣୁ ନ ଥାଉ ବୋଲି ବାଗ୍‌ଚୀ କହିଛନ୍ତି। ପୋକ ଥିଲେ ସେଥିରୁ କିଛି କାଟି ଫୋପାଡି ପାରିବା। ହେଲେ ଭୂତାଣୁ ଥିଲେ ନିଜ ସହ ସାରା ପରିବାର ବିପଦଗାମୀ ହୋଇପଡ଼ିବ। ତେଣୁ ପରିବା ବେପାରୀ ଯାହା ବାଛିକି ଦେବେ ତାହାକୁ ସମ୍ମାନ ଦେଇ କିଣି ଆଣିବାକୁ ସେ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷରେ ବ୍ରିଟିଶ ବ୍ରଡ୍‌କାଷ୍ଟିଂ କର୍ପୋରେଶନ୍‌ (ବିବିସି)ର ସୂଚନାକୁ ଆଧାରକରି ବାଗ୍‌ଚୀ ୨୦୧୫ର ଏକ ଆନ୍ତର୍ଜାତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ। ପ୍ରତିଦିନ ଆମେ ଘଣ୍ଟାକୁ ହାରାହାରି ୨୩ଥର ମୁହଁରେ ହାତ ଲଗାଉ। ତେଣୁ ଏଠାରେ କୋଭିଡ୍‌ ୧୯ ସଂକ୍ରମଣର ଆଶଙ୍କା ଅଧିକ ରହିଛି। ସେଥିପାଇଁ ମାସ୍କ ପିନ୍ଧିବାକୁ ରାଜ୍ୟ ସରକାର ବାରମ୍ବାର କହୁଛନ୍ତି। ମାସ୍କ ପିନ୍ଧିଲେ ମୁହଁକୁ ହାତ ଆଉ ଯିବନି ଏବଂ ସଂକ୍ରମଣର ଆଶଙ୍କା କମ୍‌ ରହିବ ବୋଲି ସେ ପରାମର୍ଶ ଦେଇଛନ୍ତି।

Share