ବାଇଗଣ ବୋଝେଇ ଗାଡିରୁ ୩ କୁଇଣ୍ଟାଲ ଗଞ୍ଜେଇ ମିଳିଲା

ଗୁଡଭେଲା,୧।୫(ଡି.ଏନ.ଏ.):କରୋନା ସମୟରେ ଖାଉଟି ସାମଗ୍ରୀ ପରିବହନ ପାଇଁ ଗାଡିମୋଟର ଉପରେ ରାଜ୍ୟ ସରକାର କଟକଣା କରି ନାହାନ୍ତି। ଏଣୁ ଖାଉଟି ସାମଗ୍ରୀ ବୋଝେଇ ଗାଡିର ଅପବ୍ୟବହାର ହେଉଛି। ଗଞ୍ଜେଇ ମାଫିଆମାନେ ଫଇଦା ଉଠାଉଛନ୍ତି। ଶୁକ୍ରବାର ଏପରି ଏକ ଘଟଣା ଦେଖିବାକୁ ମିଳଛି ବଲାଙ୍ଗୀର ଜିଲା ତୁଷୁରା ଥାନା ଅଞ୍ଚଳରେ। ଏକ ବଲୋରୋ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି-୦୩-ଏମ-୨୦୩୨)ରେ ବାଇଗଣ ଯାଉଥିବାବେଳେ ପୋଲିସ ସେଥିରୁ ଗଞ୍ଜେଇ ଧରିଛି। ତୁଷୁରା ଥାନା ଅଧିକାରୀ ଯଶୋବନ୍ତ ପ୍ରଧାନୀ ପାଟ୍ରୋଲିଙ୍ଗ କରୁଥିବା ବେଳେ ଗୁଡଭେଲା ବ୍ଲକ୍‌ ଅଧୀନ ଡୁଙ୍ଗିବାହାଲ ଗ୍ରାମ ପାଖରେ ଉକ୍ତ ଗାଡିକୁ ସନ୍ଦେହ କରି ଅଟକାଇଥିଲେ। ଯାଞ୍ଚ କରାଯିବାରୁ ୪୫ବସ୍ତା ବାଇଗଣ ତଳେ ୧୦ଟି ପ୍ୟାକେଟରେ ଗଞ୍ଜେଇ ମିଳିଥିଲା, ଯାହାର ଓଜନ ପ୍ରାୟ ୩ କୁଇଣ୍ଟାଲ ହେବ। ତେବେ ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗଙ୍କ ଉପସ୍ଥିତିରେ ଏହାକୁ ଓଜନ କରାଯାଇଥିଲା। ଏହି ଘଟଣାରେ ସିନ୍ଦୁରମୁଣ୍ଡା ଗ୍ରାମର ପ୍ରେମାନନ୍ଦ ଭୋଇ (୩୩), କେନ୍ଧୁପଦର ଗ୍ରାମର ସୁଶାନ୍ତ ସାହୁ (୩୫) ଓ ଘୁନା ଗ୍ରାମର ଜଗନାଥ ସାହୁ (୩୮)ଙ୍କୁ ପୋଲିସ ଗିରଫ କରିଛି। ସେହିଭଳି ଗାଡିକୁ ମଧ୍ୟ ଜବତ କରିଛି।

Share