Categories: ରାଜ୍ୟ

ବାଇଚଢ଼େଇ ବଂଶ ବୃଦ୍ଧି ପାଇଁ ପ୍ରୟାସ ଜାରି

ଖଣ୍ଡପଡା,୧୩।୬(ସ୍ବ.ପ୍ର.): ବାଇଚଢେଇ ଛୋଟ ପକ୍ଷୀଟିଏ ହେଲେ ମଧ୍ୟ ତା’ର ବିଚକ୍ଷଣ ବୁଦ୍ଧି ଖଟାଇ ନିଜ ପାଇଁ ସେ ଯେଉଁ ବସା ତିଆରି କରେ ତାହା ଖୁବ୍‌ ମଜଭୁତ ଓ ସୁରକ୍ଷିତ ହୋଇଥାଏ। ଯାହା ଅନ୍ୟ ପକ୍ଷୀମାନଙ୍କ ବସାରେ ଦେଖିବାକୁ ମିଳେ ନାହିଁ। ତାଳ, ଖଜୁରି ଗଛରେ ବାଇଚଢେଇ ବସା ବାନ୍ଧି ଅଣ୍ଡା ଦେଇ ତା’ର ବଂଶ ବୃଦ୍ଧି ଘଟାଇଥାଏ । ଝଡ ତୋଫାନ କିମ୍ବା ବର୍ଷାରେ ଏହି ବସାର କୌଣସି କ୍ଷତି ଘଟି ନ ଥାଏ । ଏଣୁ ବିଭିନ୍ନ ଉଦାହରଣ ପ୍ରସଙ୍ଗରେ କୁହାଯାଇଥାଏ ”ବାଇଚଢ଼େଇର କି ଯାଏ ବା’ କଲେ ବସା ଦୋହଲୁଥାଏ“ । ଏବେ କିନ୍ତୁ ତାଳ, ଖଜୁରିଗଛର ଅଭାବ ଯୋଗୁ ବାଇଚଢେଇ ବସା ପ୍ରତି ବିପଦ ସୃଷ୍ଟି ହୋଇଛି।
ପ୍ରତିବର୍ଷ ଜଙ୍ଗଲ ବିଭାଗ ପକ୍ଷରୁ ବର୍ଷାଋତୁରେ ବିଭିନ୍ନ ଛାୟାପ୍ରଦ ବୃକ୍ଷରୋପଣ କରାଯାଉଥିବା ବେଳେ ଉଜୁଡି ଯାଉଥିବା ତାଳ ଓ ଖଜୁରି ଗଛ ରୋପଣ ଦିଗରେ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେଉ ନାହାନ୍ତି । ବିଶେଷକରି ତାଳ ଓ ଖଜୁରି ବୃକ୍ଷ ଅଭାବରୁ ବାଇଚଢେଇ ଅନେକ ସମୟରେ ଟେଲିଫୋନ,ବିଦ୍ୟୁତ ତାର କିମ୍ବା ବାବୁଲ ଆଦି କଣ୍ଟା ଗଛରେ ବସା ତିଆରି କରୁଥିବା ପରିଲକ୍ଷିତ ହେଉଛି । ତେଣୁ ବାଇଚଢେଇର ସଂଖ୍ୟା ହ୍ରାସ ପାଉଥିବା ଜଣାପଡିଛି । ଏ ଦିଗରେ କଣ୍ଟିଲୋ ଅଞ୍ଚଳର ପରିବେଶବିତ୍‌ ତଥା ଗଛ ସାର୍‌ ଭାବରେ ପରିଚିତ ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ ଗତ କିଛି ବର୍ଷ ଧରି ବିଭିନ୍ନ ଅଞ୍ଚଳରେ ଖଜୁରି ଓ ତାଳ ଗଛ ସୃଷ୍ଟି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଚଳିତ ବର୍ଷ କଣ୍ଟିଲୋ ଓ ଭାପୁର ଅଞ୍ଚଳର ବିଭିନ୍ନ ନଦୀବନ୍ଧ, ରାସ୍ତା କଡ ଓ ପାହାଡ ପାଦତଳେ ପକ୍ଷୀମାନଙ୍କ ବଂଶ ବୃଦ୍ଧି ଲକ୍ଷ୍ୟରେ ତାଳ, ଖଜୁରି ଆଦି ଚାରା ରୋପଣ କରି ଅନ୍ୟମାନଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି । ଦୀର୍ଘ ୧୦/୧୫ ବର୍ଷ ଧରି ସେ ତାଳ, ଖଜୁରି ମଞ୍ଜି ରୋପଣ କରି ଚାଲିଥିବା ବେଳେ ଜଙ୍ଗଲ ବିଭାଗ ଏହି ସବୁ ବୃକ୍ଷ ରୋପଣ ଦିଗରେ ଆଦୌ ଧ୍ୟାନ ଦେଉ ନଥିବା ଅଭିଯୋଗ ହେଉଛି। କିଛି ବ୍ୟକ୍ତି ୮/୧୦ଫୁଟ ଉଚ୍ଚର ତାଳ ଓ ଖଜୁରି ଡାଳକୁ ଦାନ୍ତକାଠି କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ କାଟି ନେଉଥିବା ବେଳେ ରାସ୍ତା ଓ ମାଳବନ୍ଧ ପ୍ରଶସ୍ତୀକରଣ ଆଳରେ ଠିକାଦାର ମଧ୍ୟ ଉକ୍ତ ଗଛ କାଟିବାକୁ ଦ୍ୱିଧାବୋଧ କରୁନାହାନ୍ତି। ଏଥିପାଇଁ ବନ ବିଭାଗ କିମ୍ବା ସ୍ଥାନୀୟ ଅଞ୍ଚଳର ଲୋକେ ନୀରବଦ୍ରଷ୍ଟା ସାଜିଛନ୍ତି ।ସଚେତନତା ଅଭାବରୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ଗଛ ସାର କ୍ଷୋଭର ସହ କହିଛନ୍ତି । ଗତ ୧୫ ଦିନ ଧରି ଉକ୍ତ ଗଛର ସୁରକ୍ଷା ପାଇଁ ଲକ୍ଷ୍ମୀପ୍ରସାଦ, ଧାନଚେଙ୍ଗଡା ଗ୍ରାମବାସୀଙ୍କୁ ସାକ୍ଷାତ କରି ବାଇଚଢେଇଙ୍କ ବଂଶ ବୃଦ୍ଧି ପାଇଁ ତାଳ ଓ ଖଜୁରି ଗଛ ନ କାଟିବା ଲାଗି ସେ ଜନ ସଚେତନତା ସୃଷ୍ଟି କରିବାରେ ଲାଗିଛନ୍ତି।

Share