ବାଉଁଶ ଉତ୍ପାଦନ, ପ୍ରକ୍ରିୟାକରଣକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ ବାଉଁଶଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରିତାକୁ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବାଉଁଶ ସମ୍ପର୍କିତ କାର୍ଯ୍ୟକଳାପ ଏବଂ ଯୋଜନା ପାଇଁ ୨୭୩୩ ଲକ୍ଷ ଟଙ୍କା ଅନୁଦାନକୁ ମଞ୍ଜୁର କରାଯାଇଛି। ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ମୁଖ୍ୟ ଶାସନ ସଚିବ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା(ଓବିଡିଏ)କୁ ନିର୍ଦ୍ଦେଶ ଦେଇଛନ୍ତି।
ତୃଣମୂଳସ୍ତରରେ ଏହି ଉନ୍ନୟନ ସଂସ୍ଥାକୁ ଯୁଗ୍ମ ଜଙ୍ଗଲ ପରିଚାଳନା କମିଟି, ଜୈବ ଉନ୍ନୟନ କମିଟି ଏବଂ କୃଷକ ଫାର୍ମ ଇତ୍ୟାଦି ସହଯୋଗ କରିବେ। ସେହିପରି ପୂର୍ବ ଯୋଜନା ଅନୁଯାୟୀ ଏହା କାର୍ଯ୍ୟକାରୀ ହୋଇଛି ନା ନାହିଁ, ସେ ନେଇ ତୃତୀୟ ପକ୍ଷ ସମୀକ୍ଷା ମଧ୍ୟ କରିବେ। ବୈଠକରେ ଜଙ୍ଗଲ ଓ ପରିବେଶ ପ୍ରମୁଖ ଶାସନ ସଚିବ ମୋନା ଶର୍ମା ପ୍ରକଳ୍ପ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ। ସେହିପରି ଓବିଡିଏ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଏ.କେ. ପାଠକ କହିଥିଲେ ଯେ, ସରକାରୀ ଅଣଜଙ୍ଗଲ ଜମି ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନ ତଥା ଘରୋଇ ମାଲିକାନାରେ ଥିବା ଜମିରେ ବାଉଁଶ ଉତ୍ପାଦନକୁ ଗୁରୁତ୍ୱ ଦିଆଯିବ। ଏହା ଦ୍ୱାରା ବାଉଁଶଭିତ୍ତିକ ଶିଳ୍ପ ପାଇଁ କଞ୍ଚାମାଲର ଅଭାବ ଅନୁଭୂତ ହେବ ନାହିଁ। ସେହିପରି ତୁଲ୍‌ଦା, ଭଲଗାରିଜ୍‌ ଏବଂ ନୁଟନ୍ସ ପ୍ରଭୃତି ପ୍ରଜାତି ରୋପଣ କରାଯିବ। ୩ ବର୍ଷ ପାଇଁ ଏକ ହେକ୍ଟର ଖେତରେ ବାଉଁଶ ଉତ୍ପାଦନ ପିଛା ୫୦,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି। ଏକ ହେକ୍ଟର ଜମିରେ ପ୍ରାୟ ୪୧୭ଟି ମଞ୍ଜି ରୋପଣ କରାଯାଇପାରିବ। ପ୍ରତି ଚାରା ପିଛା ୧୨୦ ଟଙ୍କା ହିସାବରେ ସହାୟତା ପ୍ରଦାନ କରାଯିବ। ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀଙ୍କ ପକ୍ଷରୁ ଗତବର୍ଷ ବାଉଁଶ ଉତ୍ପାଦନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରାଯାଇଥିଲା। ୨୦୧୭-୧୮ରେ ବାଉଁଶ ଉତ୍ପାଦନ ୧୧.୨ ଲକ୍ଷ ହେକ୍ଟର ଜମିରେ ହୋଇଥିବାବେଳେ ୨୦୧୮-୧୯ରେ ଏହା ୧୪ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଥିଲା।