ଗଣିଆ,୨୬ା୫(ଡି.ଏନ.ଏ.)- ପରିବର୍ତ୍ତନ ସହ ତାଳଦେଇ ଉଭୟ ଗ୍ରାମ ଓ ସହରାଞ୍ଚଳରେ ଦିନକୁ ଦିନ ବାଉଁଶ ତିଆରି ଉପକରଣର ଚାହିଦା କମିବାରେ ଲାଗିଛି। ବଜାରରେ ବାଉଁଶ ଉପକରଣ ବଦଳରେ ଆଲୁମିନିୟମ, ଷ୍ଟିଲ, ପ୍ଲାଷ୍ଟିକ ଓ ପଲିଥିନ୍ ତିଆରି ସାମଗ୍ରୀ ସ୍ଥାନ ନେଉଥିବା ଦେଖାଯାଉଛି। ଫଳରେ କେତେକ ସମ୍ପ୍ରଦାୟ କୌଳିକ ତଥା ପରମ୍ପରାଗତ ବୃତ୍ତିରୁ ଦୂରେଇଯାଇ ଅନ୍ୟ ବୃତ୍ତି ଆପଣେଇ ନେଉଛନ୍ତି। ଆଉ କେତେକ ପରମ୍ପରାଗତ ବୃତ୍ତିକୁ ଛାଡି ନ ପାରି ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ଅନ୍ୟପକ୍ଷେ ଗ୍ରାମ ନିକଟ ଜଙ୍ଗଲଗୁଡିକରେ ବାଉଁଶ ଅଭାବ ଓ ବଜାର ଚାହିଦା କମିବା ଯୋଗୁ ଏହି କାରିଗରମାନଙ୍କ ଜୀବନଜୀବିକା ଦୁର୍ବିଷହ ହେବାକୁ ବସିଲାଣି। ଗଣିଆ ବ୍ଲକ ଅନ୍ତର୍ଗତ ଛାମୁଣ୍ଡିଆ, ଛାଡମୂଳ, ଗଣିଆ, କୃଷ୍ଣପଲ୍ଲୀ ଗ୍ରାମର ଅନୁସୂଚିତ ଜାତିର ଲୋକଙ୍କ ପାଇଁ ଏହି ବୃତ୍ତି ବଞ୍ଚାଇରଖିବା ଏବେ ମୁଖ୍ୟ ସମସ୍ୟା ହୋଇଛି। ଛାମୁଣ୍ଡିଆଠାରେ ଏହି ସମ୍ପ୍ରଦାୟର ୩୨ ପରିବାରର ପ୍ରାୟ ୧୭୦ରୁ ଊର୍ଦ୍ଧ୍ୱ ଲୋକ ବସବାସ କରୁଛନ୍ତି। ପୁରୁଷାନୁକ୍ରମେ ଏମାନେ ବାଉଁଶରେ ଟୋକେଇ, ପାଛିଆ, ଝୁଡି, କୁଲା, ଝାମ୍ପି, ଫୁଲଚାଙ୍ଗୁଡି, ଝାଡୁ, ଖଡିକା, ପାନଝୁଡି, ଭୋଗେଇ, ଡାଲା, ଗଉଣି ଆଦି ଗୃହ ଉପକରଣ ତିଆରି କରିଆସୁଛନ୍ତି। ମହିଳା ଓ ପୁରୁଷମାନେ ଏହି ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ପରେ ଏହାକୁ ପୁରୁଷମାନେ ନିକଟସ୍ଥ ହାଟବଜାରକୁ ନେଇ ବିକ୍ରି କରିଥାନ୍ତି। କଞ୍ଚାମାଲ ସଂଗ୍ରହ, ସାମଗ୍ରୀ ପ୍ରସ୍ତୁତି ଓ ଜିନିଷ ବିକ୍ରି ପରିଶ୍ରମ ତୁଳନାରେ ସେମାନେ ଉପଯୁକ୍ତ ମୂଲ୍ୟ ପାଇ ନ ଥାନ୍ତି। ବଜାରରେ ପଲିଥିନ, ପ୍ଲାଷ୍ଟିକ ଓ ଷ୍ଟିଲ ତିଆରି ସାମଗ୍ରୀର ବହୁଳ ପ୍ରଚଳନ ଯୋଗୁ ସେମାନଙ୍କର ବୃତ୍ତି କ୍ଷତିଗ୍ରସ୍ତ ହୋଇଛି ା ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଥିବା ଜଙ୍ଗଲଗୁଡିକରେ ପୂର୍ବଭଳି ପ୍ରଚୁର ପରିମାଣରେ ବାଉଁଶ ଗଛ ଆଉ ଦେଖିବାକୁ ମିଳୁନି ା ଫଳରେ ବିଭିନ୍ନ ଗ୍ରାମବାସୀ ପାଳି କରି ଜଙ୍ଗଲ ଜଗୁଥିବାରୁ ଅଧିକାଂଶ ସମୟରେ କାରିଗରମାନେ ଅଞ୍ଚଳ ବାହାରୁ ସ୍ବଳ୍ପ ପରିମାଣର ବାଉଁଶକୁ ଅଧିକ ଦାମ୍ ଦେଇ କିଣୁଛନ୍ତି। ସାମଗ୍ରୀ ତିଆରି ପରେ ମଧ୍ୟ ତାହାକୁ ଅଧିକ ଦରରେ ବିକ୍ରି କରିବା ସମ୍ଭବ ହେଉନାହିଁ। ସ୍ବଳ୍ପ ରୋଜଗାରରେ ଆଜିକାଲିର ବ୍ୟୟବହୁଳ ସମାଜରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଛି ବୋଲି କୁହନ୍ତି ବାଣୀ ନାୟକ ନାମ୍ନୀ ଜଣେ ବାଉଁଶ କାରିଗର ା ଅନ୍ୟ ଜଣେ କାରିଗର ରମେଶ ନାୟକ କୁହନ୍ତି, ପୂର୍ବରୁ ଓଡିଆ ପରମ୍ପରାରେ ବିବାହ ତଥା ଅନ୍ୟ ପୂଜା ପାର୍ବଣରେ ଆମେ ତିଆରି କରୁଥିବା ବାଉଁଶ ସାମଗ୍ରୀର ବହୁତ ଚାହିଦା ରହୁଥିଲା। ନୂଆ ବୋହୂଟିଏ ତା’ ଶାଶୁଘରକୁ ଯିବା ସମୟରେ ବାପଘର ତରଫରୁ ଅନ୍ୟ ଜିନିଷ ସହିତ ବାଉଁଶ ତିଆରି ବିଭିନ୍ନ ସାମଗ୍ରୀ ଦିଆଯାଉଥିଲା ା ଏବେ କିନ୍ତୁ ଏସବୁ ଖୁବ୍ କମ୍ ସ୍ଥାନରେ ଦେଖିବାକୁ ମିଳୁଛି ା ତେବେ ସରକାରଙ୍କ ତରଫରୁ ନୂତନ ବାଉଁଶ ଜଙ୍ଗଲ ସୃଷ୍ଟି ପାଇଁ ବାଉଁଶଚାରା, ଆର୍ଥିକ ସହାୟତା ପ୍ରଦାନ ସହ କୁଟୀର ଶିଳ୍ପ କରାଯାଇ ଉପଯୁକ୍ତ ପ୍ରଶିକ୍ଷଣ ଦିଆଗଲେ ବୁଡିଯାଉଥିବା ଏହି ବୃତ୍ତିକୁ ବଞ୍ଚାଇ ବହୁ ବାଉଁଶ କାରିଗରଙ୍କ ପରିବାର ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଉଛି।