Categories: ମେଟ୍ରୋ

ବାଉଁଶ ବୁଣାକାରଙ୍କ ବଞ୍ଚିବା ଚିନ୍ତା: ଭାତ, ଲୁଣରେ କଟୁଛି ଦିନ

ଭୁବନେଶ୍ୱର,୨୪।୪(ବ୍ୟୁରୋ): କରୋନା ଉଜାଡ଼ି ଦେଇଛି ବେପାର, ଛଡ଼ାଇନେଇଛି ରୋଜଗାର। ଲକ୍‌ଡାଉନ୍‌ ଯୋଗୁ ବଡ଼ ବିପଦର ମୁକାବିଲା କରାଯାଉଛି ସତ, ହେଲେ ଅସହାୟ ଓ ଦୈନିକ ରୋଜଗାରରେ ଗୁଜୁରାଣ ମେଣ୍ଟାଉଥିବା ରାଜଧାନୀର ହଜାର ହଜାର ପରିବାର ଉପରେ ଦୁଃଖ ଭାରିପଡିଛି। ସବୁଠୁ ବଳିଯାଇଛି ରାଜଧାନୀ ରାସ୍ତାକଡ଼ରେ ଜୀବନ ବିତାଉଥିବା ବାଉଁଶ ବୁଣାକାରଙ୍କ ଅବସ୍ଥା। ନାନା ଦୁଃଖ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି। କେତେବେଳେ ବାତ୍ୟା ତ କେତେବେଳେ ମହାମାରୀ ଏମାନଙ୍କ ଜୀବନକୁ ଦୁର୍ବିସହ କରିଦେଇଥିବାବେଳେ ଏବେ ଏମାନଙ୍କ ପାଖରେ ନା ପହଞ୍ଚୁଛି ସରକାରୀ ସହାୟତା ନା ବେସରକାରୀ ସଂସ୍ଥାର ସହଯୋଗ। ଫଳରେ କେବଳ ଭାତ, ଲୁଣରେ ସେମାନଙ୍କ ଦିନ କଟୁଛି।

ରାଜଧାନୀରେ ବ୍ୟବସାୟ କରୁଥିବା ଏହି ବାଉଁଶ ବୁଣାକାରମାନେ ଅଧିକାଂଶ ରାଜ୍ୟ ବାହାରର। ଆଦିବାସୀ ପଡ଼ିଆ ଅଞ୍ଚଳରେ ଥିବା ତାଟି ବସ୍ତି, ରାଜମହଲ ଛକ ରାସ୍ତାକଡ଼, ୟୁନିଟ୍‌-୧ ମାର୍କେଟ ପାର୍ଶ୍ୱ ସମେତ ବିଭିନ୍ନ ସ୍ଥାନରେ ଏମାନେ ବର୍ଷ ବର୍ଷ ଧରି ବାଉଁଶରେ ବିଭିନ୍ନ ଘରକରଣା ଓ ସାଜସଜ୍ଜା ସାମଗ୍ରୀ ତିଆରି କରିବା ସହ ବିକ୍ରି କରି ଆସୁଛନ୍ତି। ସହବାସୀଙ୍କ ଆବଶ୍ୟକତା ପୂରଣ କରିବା ସହ ନିଜେ ମଧ୍ୟ ଗୁଜୁରାଣ ମେଣ୍ଟାଉଛନ୍ତି। ଲକ୍‌ଡାଉନ୍‌ ପୂର୍ବରୁ ଅଳ୍ପବହୁତେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ସକାଳୁ ରାତି ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ, ପେଟ ବି ପୂରୁଥିଲା। ଏବେ ନା କାମ କରିବାକୁ ମିଳୁଛି କଞ୍ଚାମାଲ୍‌, ନା କିଣିବାକୁ ଆସୁଛନ୍ତି ଗ୍ରାହକ। ରାସ୍ତାକୁ ଚାହିଁ ଚାହିଁ ଦିନ କଟିଯାଉଛି। ବେପାର ହେଉ ନ ଥିବାରୁ ପେଟକୁ ଦୁଇମୁଠା ଦାନା ଯୋଗାଡ଼ କରିବା ବି ସମ୍ଭବ ହେଉନି। ବାତ୍ୟା ଫନୀରେ ଘରଦ୍ୱାର, ବ୍ୟବସାୟ ସବୁକିଛି ଉଜୁଡ଼ି ଯାଇଥିଲା। ଅଣ୍ଟା ସଳଖିବା ବେଳକୁ କରୋନା ସବୁକିଛି ଛଡ଼ାଇଛି। ନିର୍ମାଣ ତଥା ଅନ୍ୟାନ୍ୟ କାର୍ଯ୍ୟ ବନ୍ଦ ଥିବାରୁ ଶ୍ରମିକମାନେ ନେଉଥିବା ବାଉଁଶ ଟୋକେଇ ଓ ବାଉଁଶ ନିର୍ମିତ ଅନ୍ୟାନ୍ୟ ସାମଗ୍ରୀର ବିକ୍ରି ଠପ୍‌ ହୋଇଯାଇଛି। ସେହିଭଳି ବିବାହ, ବ୍ରତ, ପୂଜାପର୍ବ ଆଦି ବନ୍ଦ ଥିବାରୁ ରାଜ୍ୟରେ ଟୋକେଇ, କୁଲା, ବାଉଁଶିଆ, ସାଜସଜ୍ଜା ସାମଗ୍ରୀ ଆଦି କିଣିବାକୁ କେହି ଆସୁନାହାନ୍ତି।
ତାଟି ବସ୍ତିରେ ପ୍ରାୟ ୪୦ ବାଉଁଶବୁଣାକାର ପରିବାର ରହୁଛନ୍ତି। ସେମାନଙ୍କ କହିବା କଥା, ଏବେ କରୋନା ଲାଗି ଆମ ବସ୍ତି ଭିତରକୁ ବାହାର ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି। ସେହିଭଳି ବାହାରକୁ ଯାଇ ବେପାର କରିବା ବି ସମ୍ଭବ ହେଉନି। ଏପଟେ ୧୦୦ ଟଙ୍କାରେ ମିଳୁଥିବା ବାଉଁଶ ୨୫୦ରୁ ୩୦୦ ଟଙ୍କା ହୋଇଯାଇଛି। ପୂର୍ବରୁ ତିଆରି ସାମଗ୍ରୀ ବିକ୍ରି ହୋଇପାରୁ ନ ଥିବାରୁ ସେଗୁଡ଼ିକ ନଷ୍ଟ ହେବାକୁ ବସିଲାଣି। କାଁ ଭାଁ ପରିବା ବ୍ୟବସାୟୀ ଗୋଟିଏ ଦୁଇଟି ବାଉଁଶିଆ କିଣି ନେଉଥିବାବେଳେ ସେଥିରେ ପରିବାର ଚଳାଇବା ସମ୍ଭବ ହେଉନି। ତେଣୁ ଅଧିକାଂଶ ପରିବାର କେବଳ ଭାତ, ଲୁଣ ଖାଇ ବଞ୍ଚୁଛନ୍ତି। ଏମିତି ମାସେ ବିତିଲାଣି, ସେତକ ସରିଗଲେ ବଞ୍ଚତ୍ବୁ କେମିତି ବୋଲି ସେମାନେ କହିଛନ୍ତି।

Share