ବାଉନ୍ସର ଆସିବା ଘଟଣାରେ ହେଲାନି ଆଲୋଚନା: ପ୍ରଦୀପ

ଭୁବନେଶ୍ୱର,୨୨ା୧(ବ୍ୟୁରୋ):କଂଗ୍ରେସ କାର୍ଯ୍ୟାଳୟକୁ ବାଉନ୍ସର ଆସିବା ଘଟଣା ନୂଆ ମୋଡ଼ ନେଇଛି। ଏହାକୁ ନେଇ ବିବାଦ ତେଜିଥିବା ବେଳେ ବାଉନ୍ସର କୌଣସି ଦଳୀୟ ନେତା ନୁହେଁ, ବରଂ ବିରୋଧୀ ପଠାଇଥିବା କଂଗ୍ରେସ ନେତାଙ୍କ ମୁହଁରୁ ଶୁଣିବାକୁ ମିଳିଛି। ଅନ୍ୟପଟେ ଏହି ଘଟଣା ଉପରେ କୌଣସି ଆଲୋଚନା ହୋଇ ନ ଥିବା ଜଣାପଡିଛି। କଂଗ୍ରେସ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ବାଉନ୍ସର କେଉଁଠୁ ଆସିଲେ ଜଣାନାହିଁ। କିନ୍ତୁ କୌଣସି ଦଳୀୟ ଲୋକ ସେମାନଙ୍କୁ ଡାକି ନ ଥିଲେ। ଏହା ଦଳକୁ ବଦନାମ କରିବାକୁ ଯୋଜନା ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୧୭ ତାରିଖରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ କେତେଗୁଡିଏ ଜିଲାର ନିର୍ବାଚନୀ ସମୀକ୍ଷା ବୈଠକ ଚାଲିଥିଲା। ଏହି ସମୟରେ କେତେଜଣ କର୍ମୀ ଓ ନେତା ଦଳୀୟ କାର୍ଯ୍ୟାଳୟ ବାହାରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତିଙ୍କୁ ପରିବର୍ତ୍ତନ ଲାଗି ଦାବି କରିଥିଲେ। ଏଭଳି ପରିସ୍ଥିତିରେ ଦଳୀୟ କାର୍ଯ୍ୟାଳୟରେ କେତେଜଣ ବାଉନ୍ସର ଉପସ୍ଥିତ ରହିବା ସହିତ ଧାରଣାରତ କର୍ମୀଙ୍କୁ କାର୍ଯ୍ୟାଳୟରୁ ତଡି ଦେଇଥିଲେ। ଏହାକୁ ନେଇ ବିବାଦ ଉଠିବା ପରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏହି ଘଟଣାକୁ ନିନ୍ଦା କରିଥିଲେ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚନା କରି ଘଟଣାର ତଦନ୍ତ କରିବାକୁ ଦାବି କରିବେ ବୋଲି କହିଥିଲେ। ମାତ୍ର ମଙ୍ଗଳବାର ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ କୌଣସି ଆଲୋଚନା ହୋଇ ନ ଥିବା ସେ କହିଛନ୍ତି। ପ୍ରଦୀପ କହିଛନ୍ତି ଯେ, ସୁଭାଷ ବୋଷଙ୍କ ଜୟନ୍ତୀ, ଜାନୁୟାରୀ ୨୬ ପାଳନ ଏବଂ ଆସନ୍ତା ୩୦ରେ ହେବାକୁ ଥିବା ଏକତା ଦିବସ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ମାତ୍ର ଏଭଳି ଘଟଣା ଦଳରେ ଖରାପ ପରମ୍ପରା ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

Share