Categories: ରାଜ୍ୟ

ବାଉରୀ ନାଳରେ ପୋଲ ନିର୍ମାଣ ହେଉନି: ବର୍ଷା ହେଲେ ଯାତାୟାତ ଠପ୍‌

ଛେଣ୍ଡିପଦା,୨୮ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡା-ପରା ପଥରପୁଞ୍ଜି ଗ୍ରାମ ରାସ୍ତାର ମଧ୍ୟଭାଗରେ ପ୍ରବାହିତ ବାଉରୀ ନାଳ ଉପରେ ଦୀର୍ଘଦିନର ଦାବି ସତ୍ତ୍ୱେ ସ୍ଥାୟୀ ପୋଲ ନିର୍ମାଣ ହେଉନି। ଫଳରେ ବର୍ଷା ଦିନେ ଅଞ୍ଚଳବାସୀ ହଇରାଣ ହେଉଛନ୍ତି। ସେଠାରେ ଥିବା ଏକ କମ୍‌ ଉଚ୍ଚତା ବିଶିଷ୍ଟ କଲଭର୍ଟ ବ୍ରିଜ୍‌ଟି ସାମାନ୍ୟ ବର୍ଷା ହେଲେ ବୁଡିଯାଉଛି। ଫଳରେ ଯାତାୟାତରେ ଘୋର ଅସୁବିଧା ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଏହି ନାଳରେ ବର୍ଷା ଦିନେ ବହୁ ମାତ୍ରାରେ ଜଳ ପ୍ରବାହିତ ହୋଇଥାଏ। ଫଳରେ ଏଠାରେ ଥିବା ବହୁ ପୁରାତନ ହ୍ୟୁମ ପାଇପ କଲଭର୍ଟ ବ୍ରିଜ ଉପରେ ପାଣି ଚାଲେ। ଅନୁଗୋଳ ଗ୍ରାମ୍ୟ ନିର୍ମାଣ ତଥା ଜରପଡା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ହୋଇଥିବା ଏହି କଲଭର୍ଟ ବ୍ରିଜ କମ ଉଚ୍ଚତା ବିଶିଷ୍ଟ ହୋଇଥିବା ବେଳେ ଭାବରେ ହ୍ୟୁମ ପାଇପ ଦେଇ ପାଣି ନିଷ୍କାସନ ହୋଇପାରୁନାହିଁ। ଫଳରେ ପାଣି ପ୍ରବାହିତ ହେବା ପରେ ସେଠାରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଏ। ଜରପଡା-ଟାଇଁସି-ଜଗନ୍ନାଥପୁର ଗ୍ରାମ୍ୟ ରାସ୍ତା ଉପରେ ବାଉରୀ ନାଳ ପ୍ରବାହିତ ହେଉଥିବା ଯୋଗୁ ଏହା ଉପରେ ନିର୍ଭର କରୁଥିବା ଲୋକେ ଜରୁରିକାଳୀନ ପରିସ୍ଥିତିରେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ତୁରନ୍ତ ବିଜୁ ସେତୁ ଯୋଜନା ମାଧ୍ୟମରେ ଏଠାରେ ଅଧିକ ଉଚ୍ଚତା ବିଶିଷ୍ଟ ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ସରପଞ୍ଚ ଭାନୁପ୍ରିୟା ପ୍ରଧାନ, ସମିତିସଭ୍ୟା କବିତା ବେହେରା, ପୂର୍ବତନ ସରପଞ୍ଚ ନାରାୟଣ ସାହୁ , ଶଶି ଭୂଷଣ ବେହେରା, କୁଶଧର ବାରିକ, ବେଣୁଧର ପ୍ରଧାନ, ବାଲିଆ ପ୍ରଧାନ ପ୍ରମୁଖ ପ୍ରେସ ବିବୃତି ମାଧ୍ୟମରେ ଦାବି କରିଛନ୍ତି।

Share