Categories: ଖେଳ

ବାଓଟୋ ଏଟିପି ଚ୍ୟାଲେଞ୍ଜର : ସିଙ୍ଗଲ୍ସ, ଡବଲ୍ସରେ ମୁକୁନ୍ଦ ରନର୍ସ-ଅପ୍‌

ବାଓଟୋ,୧।୯(ପି.ଟି.)- ଚାଇନାର ବାଓଟୋରେ ଅନୁଷ୍ଠିତ ହୋଇଥିବା ୫୪,୧୬୦ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ କ୍ଲେ- କୋର୍ଟ ଏଟିପି ଚ୍ୟାଲେଞ୍ଜର ଇଭେଣ୍ଟରେ ଭାରତର ଶଶି କୁମାର ମୁକୁନ୍ଦ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ କରି ଦୁଇଟି ଇଭେଣ୍ଟରେ ରନର୍ସଅପ୍‌ ହୋଇଛନ୍ତି। ସେ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ଫାଇନାଲରେ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି।
ସିଙ୍ଗଲ୍ସରେ ଦ୍ୱାଦଶ ସିଡ ମାନ୍ୟତା ପାଇଥିବା ମୁକୁନ୍ଦ ଫାଇନାଲରେ ଟପ୍‌ ସିଡ ଅଷ୍ଟ୍ରେଲିଆର ଜେମ୍ସ ଡକଓ୍ବର୍ଥଙ୍କଠାରୁ ୪-୬, ୩-୬ ସେଟରେ ପରାସ୍ତ ହୋଇ ଟାଇଟଲ ହାସଲରୁ ବଞ୍ଚିତ ହୋଇଥିଲେ। ଏହାପୂର୍ବରୁ ଚେନ୍ନାଇ ଓପନ ସେମିଫାଇନାଲରେ ପ୍ରବେଶ କରି ମୁକୁନ୍ଦ ସିଙ୍ଗଲ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଫାଇନାଲରେ ପହଞ୍ଚିବା ସହ ସେ ୪୨୪୦ ଆମେରିକୀୟ ଡଲାର ପୁରସ୍କାର ଓ ୪୦ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ହାସଲ କରିଛନ୍ତି। ଫଳରେ ୟୁଏସ୍‌ ଓପନ ପରେ ପ୍ରକାଶିତ ହେବାକୁ ଥିବା ନୂଆ ର଼୍ୟାଙ୍କିଙ୍ଗ୍‌ରେ ସେ କ୍ୟାରିୟର ଶ୍ରେଷ୍ଠ ୨୩୫ତମ ସ୍ଥାନକୁ ଉଠିବା ସ୍ପଷ୍ଟ ହୋଇଛି। ଚଳିତ ସେସନରେ ମୁକୁନ୍ଦ ଏହା ପୂର୍ବରୁ ଆଭରେଜ ପ୍ରଦର୍ଶନ କରିଥିଲେ। କୌଣସି ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡ ମଧ୍ୟ ସେ ପାର କରିପାରି ନ ଥିଲେ।
ସେହିପରି ଡବଲ୍ସ ଇଭେଣ୍ଟରେ ମୁକୁନ୍ଦ ଓ ତାଙ୍କ ରୁଷିଆ ପାର୍ଟନର ତେମୁରାଜ ଗାବାଶଭିଲି ଫାଇନାଲରେ ଦ୍ୱିତୀୟ ସିଡ କୋରିଆ ଯୋଡି ଜି ସଙ୍ଗ ନାମ ଓ ମିନ- କ୍ୟୁ ସଙ୍ଗଙ୍କଠାରୁ ୬-୭, ୨-୬ ସେଟରେ ପରାସ୍ତ ହୋଇ ଟାଇଟଲ ହାସଲରୁ ବଞ୍ଚିତ ହୋଇଥିଲେ ମଧ୍ୟ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି।

Share