Categories: ଜାତୀୟ

ବାଗଜାନ ଗ୍ୟାସ କୂଅ ଅଗ୍ନିକାଣ୍ଡ ଘଟଣାରେ ୨ଅଗ୍ନିଶମ କର୍ମଚାରୀ ମୃତ

ଗୁଆହାଟି,୧୦।୬: ଆସାମ ତିନିସୁକିଆ ଜିଲାର ବାଗଜାନ ସ୍ଥିତ ତୈଳ କୂଅରେ ଘଟିଥିବା ଅଗ୍ନିକାଣ୍ଡ ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି। ଅଏଲ୍‌ ଇଣ୍ଡିଆ କମ୍ପାନୀର ବାଗଜାନ ଗ୍ୟାସ କୂଅରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ୪ ସପ୍ତାହରୁ ଊର୍ଦ୍ଧ୍ୱ ଲାଗିବ ବୋଲି କୁହାଯାଉଛି। ଏଥିସହ ଉକ୍ତ ଅଗ୍ନିକାଣ୍ଡରେ ଅଗ୍ନିଶମ ବିଭାଗର ୨ଜଣ କର୍ମଚାରୀଙ୍କ ବୁଧବାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ର ମୁଖପାତ୍ର ତ୍ରିଦିବ ହଜାରିକା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମେ ୨୭ରେ ବାଗଜାନ ସ୍ଥିତ ଅଏଲ୍‌ ଇଣ୍ଡିଆ କମ୍ପାନୀର ଗ୍ୟାସ କୂଅ ଲିକ୍‌ ହେବା ଯୋଗୁ ତୈଳ ନିର୍ଗତ ହୋଇଥିଲା। ଏହି ଲିକ୍‌ ଯୋଗୁ ମଙ୍ଗଳବାର ଭୟାନକ ବିସ୍ଫୋରଣ ହୋଇଥିଲା। ଏହି ନିଆଁ ଏତେ ତୀବ୍ର ଥିଲା ଯେ ପ୍ରାୟ ୨-୩ କିଲୋମିଟର ଦୂରରୁ ନିଆଁର ଶିଖା ଦେଖାଯାଉଥିବା ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଟିମ୍‌ ନିଆଁକୁ ଆୟତ୍ତ କରିବାକୁ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିବା ସମୟରେ ୨ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ ନିର୍ଗତ ହେଉଥିବା ତୈଳକୁ ରୋକିବା ପାଇଁ ସିଙ୍ଗାପୁର କମ୍ପାନୀର ବିଶେଷଜ୍ଞ ଟିମ୍‌ ସୋମବାର ଆସାମର ଦୁଲିଆଜାନ ଟାଉନରେ ପହଞ୍ଚିଛନ୍ତି ବୋଲି ଅଏଲ୍‌ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି।

Share