ବାଗଡିଆ ଫାଣ୍ଡି ସମ୍ମୁଖରେ ଜମୁଛି ପାଣି

ଛେଣ୍ଡିପଦା,୧୦ା୯(ସ୍ବ.ପ୍ର)

ଛେଣ୍ଡିପଦା ବ୍ଲକ ବାଗଡିଆ ପଞ୍ଚାୟତ ପୁରୁଣା ହାଟପଦା ତଥା ବାଗଡିଆ ଫାଣ୍ଡି ସମ୍ମୁଖ ରାସ୍ତା ପାର୍ଶ୍ୱରେ ସାମାନ୍ୟ ବର୍ଷା ହେଲେ ବର୍ଷା ପାଣି ଜମି ରହୁଛି। ଫଳରେ ଜନ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ବାଗଡିଆ ପୁରୁଣା ହାଟପଦା ଏକ ବ୍ୟବସାୟିକ ପେଣ୍ଠସ୍ଥଳ ହୋଇଥିବାବେଳେ ପ୍ରତିଦିନ ବହୁ ବ୍ୟବସାୟୀ, ଜନସାଧାରଣ ଉକ୍ତ ରାସ୍ତା ଦେଇ ଯାତାୟାତ କରିଥାନ୍ତି। ସେହିପରି ବାଗଡିଆ ଉଚ୍ଚ ବିଦ୍ୟାଳୟକୁ ଛାତ୍ରୀଛାତ୍ରମାନେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରିଥାନ୍ତି। ୩ ବର୍ଷ ତଳେ ପୂର୍ତ୍ତବିଭାଗ ପକ୍ଷରୁ ବାଗଡିଆ ରାସ୍ତା ପ୍ରଶସ୍ତୀକରଣ ପାଇଁ ଏକ ଠିକାସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ଉକ୍ତ ଠିକାସଂସ୍ଥା କେବଳ ରାସ୍ତା କାର୍ଯ୍ୟ ଶେଷ କରି ଡ୍ରେନ ନିର୍ମାଣ କାର୍ଯ୍ୟ ଭୁଲି ଯାଇଥିଲା। ଫଳରେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ଫାଣ୍ଡି ସମ୍ମୁଖରେ ଜମି ରହୁଛି। ଏଥିଯୋଗୁ ପରିବେଶ ଦୁର୍ଗନ୍ଧମୟ ହେବା ସହିତ ମଶା ମାଛିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଉକ୍ତ ପାଣି ଘେର ଭିତରେ ୮ରୁ ଊଦ୍ଧର୍‌ବ ଦୋକାନ ଗୃହ ରହିଥିବାବେଳେ ଦୋକାନୀମାନେ ଚିନ୍ତିତ ହୋଇପଡିଛନ୍ତି। ତୁରନ୍ତ ପ୍ରଶାସନ ପକ୍ଷରୁ ଡ୍ରେନ ନିର୍ମାଣ କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ବିଡିଓ ରୋମାଞ୍ଚଳ ଖମାରୀ କୁହନ୍ତି, ଏ ନେଇ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀଙ୍କ ସହିତ ଆଲୋଚନା କରାଯିବ। ପରେ ପାଣି ନିଷ୍କାସନର ବ୍ୟବସ୍ଥା ହେବ।