ବାଗଡିଆ-ବୁଢାଢିପ ରାସ୍ତା ମରଣଯନ୍ତା

ଛେଣ୍ଡିପଦା,୧୦।୯ (ସ୍ବ.ପ୍ର)

ଛେଣ୍ଡିପଦା ବ୍ଲକ ବାଗଡିଆ ପଞ୍ଚାୟତ ବାଗଡିଆ ଜଗନ୍ନାଥ ମନ୍ଦିରଠାରୁ ବୁଢାଢିପ ଗ୍ରାମକୁ ଯାଇଥିବା ମୁଖ୍ୟରାସ୍ତା ମରଣଯନ୍ତା ପାଲଟିଛି। ଲଗାଣ ବର୍ଷା ଯୋଗୁ ରାସ୍ତାରେ ଗାତ ସୃଷ୍ଟି ହୋଇ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଉକ୍ତ ରାସ୍ତା ଦେଇ ଗ୍ରାମର ସମସ୍ତ ବର୍ଷା ଜଳ ଓ ଡ୍ରେନ ପାଣି ଆସି କଂକ୍ରିଟ ରାସ୍ତାଟି ଦବି ଯିବା ସହିତ ୩ ଫୁଟର ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଜନ ସାଧାରଣ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି, ଏକ ଘରୋଇ ଠିକସଂସ୍ଥା ପକ୍ଷରୁ ୩/୪ ବର୍ଷ ତଳେ ରାସ୍ତା ନିର୍ମାଣ ହୋଇଥିଲା। ନିମ୍ନମାନର କାମ ଯୋଗୁ ରାସ୍ତାଟି ଭାଙ୍ଗିଯାଇଛି। ଏହି ରାସ୍ତାଦେଇ ପ୍ରତିଦିନ ବହୁ ଜନସାଧାରଣ, ଛାତ୍ରୀଛାତ୍ର ଯାତାୟାତ କରିଥାନ୍ତି। ରାସ୍ତାଟି ଦବି ଯିବା ଫଳରେ ଗ୍ରାମବାସୀ ଅସୁବିଧା ଭୋଗୁଛନ୍ତି। ତୁରନ୍ତ ଏହାର ମରାମତି କରିବା ପାଇଁ ଦାବି ହୋଇଛି। ଏ ସମ୍ପର୍କରେ ବାଗଡିଆ ସରପଞ୍ଚ ସଞ୍ଜୟ ଦେହୁରୀ କହିଛନ୍ତି, ପଞ୍ଚାୟତରେ ଅର୍ଥ ନାହିଁ। ଅର୍ଥ ଆସିଲା ପରେ ତୁରନ୍ତ ପଦକ୍ଷେପ ନିଆଯିବ। ଏ ନେଇ ବିଡିଓ ରୋମାଞ୍ଚଳ ଖମାରୀ କୁହନ୍ତି, ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀଙ୍କ ସହିତ ଆଲୋଚନା କରାଯାଇ ତୁରନ୍ତ ପାଣି ନିଷ୍କାସନର ବ୍ୟବସ୍ଥା କରାଯିବ।