ବାଗଡେର ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଆଉ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ଟିଟିଲାଗଡ଼,୧।୧୨(ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ଟିଟିଲାଗଡ଼ ପୋଲିସକୁ ରବିବାର ଏକ ବଡ଼ ସଫଳତା ମିଳିଛ। ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାଗଡେର ଗାଁ ନିକଟରେ ଘଟିଥିବା ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତଙ୍କୁ ଧରି ପୋଲିସ କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ, ଘଣ୍ଟବାହାଲି ଗ୍ରାମର ଖଡ଼ିରତ୍ନ ଛତରଙ୍କ ପୁଅ ରାଜେନ୍ଦ୍ର ଛତର (୨୫)ଙ୍କୁ ଗତ ତା- ୧୯.୦୬.୧୯ରେ ମୁରିବାହାଲ ଥାନା ଅନ୍ତର୍ଗତ ଦେଶିଲ ଗାଁର ଉଜ୍ଜ୍ୱଳମଣି ବାଗ ଓ ସେହି ଗାଁର ପ୍ରଭାକର ବାଗ୍‌ ଓରଫ ମାଖନୁ ମିଶି ଘରୁ ଡାକି ନେଇ ହତ୍ୟା କରିଥିଲେ। ପରେ ଏହାକୁ ଏକ ଦୁର୍ଘଟଣା ରୂପ ଦେବାକୁ ଏକ ବାଇକ୍‌ରେ ମୃତଦେହ ନେଇ ବିଲ ମଧ୍ୟକୁ ଫିଙ୍ଗି ଦେଇଥିଲେ। ରାଜେନ୍ଦ୍ରଙ୍କ ମୃତଦେହ ୨୦ତାରିଖ ସକାଳୁ ପରିବାର ଲୋକେ ଦେଖିବା ପରେ ପ୍ରଥମେ ରାଜେନ୍ଦ୍ରଙ୍କ ସ୍ତ୍ରୀ ତିଲୋତ୍ତମାଙ୍କୁ ସନ୍ଦେହ କରିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ଏହାକୁ ନେଇ ତଦନ୍ତ କରିବାରୁ ବିବାହ ପୂର୍ବରୁ ତିଲୋତ୍ତମାଙ୍କ ସମ୍ପର୍କ ଉଜ୍ଜ୍ୱଳମଣିଙ୍କ ସହିତ ଥିଲା ଓ ତାଙ୍କ ସହମତିରେ ଏହି ହତ୍ୟା କରାଯାଇଛି ବୋଲି ଜଣାପଡ଼ିଥିଲା । ତେବେ ପୋଲିସ ପ୍ରଥମେ ଉଜ୍ଜ୍ୱଳମଣି ଓ ତିଲୋତ୍ତମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ପ୍ରଭାକର ବାଗ୍‌ ଓରଫ ମାଖନୁ ଫେରାର ହୋଇଯାଇଥିବା ବେଳେ ପୋଲିସ ବିଭିନ୍ନ ଥାନା ତଥା ରେଳବାଇ ପୋଲିସର ମଧ୍ୟ ସହଯୋଗ ନେଇଥିଲା। ଶନିବାର ସନ୍ଧ୍ୟାରେ ପ୍ରଭାକର ଟିଟିଲାଗଡ଼ ରେଳ ଷ୍ଟେଶନରେ ବୁଲୁଥିବା ବେଳେ ରେଳବାଇ ପୋଲିସ ତାକୁ କାବୁ କରିବା ସହ ଟିଟିଲାଗଡ଼ ପୋଲିସକୁ ଜିମା ଦେଇଥିଲା। ତାଙ୍କ ବିରୋଧରେ ଟିଟିଲାଗଡ଼ ଥାନାରେ କେସ ନଂ. ୧୧୪/୧୯ରେ ମାମଲା ରୁଜୁ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣେ ପେଶାଦାର ଅପରାଧୀ ଓ ପୂର୍ବରୁ ମଧ୍ୟ ଟିଟିଲାଗଡ଼ ଥାନାରେ ରୁଜୁ ହୋଇଥିବା ଏକ ହତ୍ୟାକାଣ୍ଡରେ ସେ ସାମିଲ ଥିବା ପୋଲିସ କହିଛି। ଏକ ଖବରଦାତା ସମ୍ମିଳନୀରେ ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି ଓ ଆର୍‌ପିଏଫ୍‌ ଆଇଆଇସି ଏମ.ଏସ୍‌ କୋମାବତ ଉପସ୍ଥିତ ରହି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Share