ବାଘଛାଲ ର଼୍ୟାକେଟରେ ପୋଲିସ

ଭୁୁବନେଶ୍ୱର, ୩ା୭(ବ୍ୟୁରୋ): ଦେବଗଡ଼ ଜିଲା ବାରକୋଟ ଅଞ୍ଚଳରୁ କଲରାପତରିଆ ବାଘଛାଲ ଜବତ ଘଟଣାରେ ସମ୍ପୃକ୍ତ ର଼୍ୟାକେଟର ପର୍ଦ୍ଦାଫାଶ ହେବାରେ ଲାଗିଛି। ଏହି ର଼୍ୟାକେଟରେ କେତେଜଣ ପୋଲିସ ସମ୍ପୃକ୍ତ ଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ତଦନ୍ତରୁ ଜାଣିବା ପରେ ପଦକ୍ଷେପ ଆରମ୍ଭ କରିଛି। ମଙ୍ଗଳବାର ଦୁଇଜଣ ପୋଲିସ କର୍ମଚାରୀଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। ସେମାନେ ହେଲେ ବରଗଡ଼ ଜିଲା କଟାପାଲି ଅଞ୍ଚଳର ରଶ୍ମିରଞ୍ଜନ ମିଶ୍ର(୨୭) ଓ ସୁନ୍ଦରଗଡ଼ ଜିଲା ବଣାଇ ଥାନାଞ୍ଚଳର ଲିକୁଲ କୁମାର ସାହୁ(୩୨)। ରଶ୍ମିରଞ୍ଜନ ରାଉରକେଲା ଜେଲ୍‌ରେ ଓ୍ବାର୍ଡର ଭାବେ କାର୍ଯ୍ୟ କରୁଥିବାବେଳେ ଲିକୁଲ ଦେବଗଡ଼ ଚତୁର୍ଥ ଆଇଆରବିଏନ୍‌ରେ ହାବିଲଦାର ଭାବେ କାର୍ଯ୍ୟ କରୁଛନ୍ତି। ଗିରଫ ପରେ ସେମାନଙ୍କୁ ଏସ୍‌ଟିଏଫ୍‌ ଦେବଗଡ଼ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଦେବଗଡ଼ ଉପକାରାଗାରକୁ ପଠାଇ ଦିଆଯାଇଛି।
ଗିରଫ ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରାବେଳେ ଏସ୍‌ଟିଏଫ୍‌କୁ ବହୁ ତଥ୍ୟ ମିଳିଛି। ରଶ୍ମି ରଞ୍ଜନ ଓ ଲିକୁଲ ଶିକାରିଙ୍କୁ ପୋଲିସ ବିଭାଗର ଟିକିନିଖି ଖବର ଦେଉଥିଲେ। ଏଥିସହ ଉକ୍ତ ଜଙ୍ଗଲ ଦାୟିତ୍ୱରେ ଥିବା ଫରେଷ୍ଟର କିମ୍ବା ଅନ୍ୟ ବନ କର୍ମଚାରୀଙ୍କ ସହ ମିଶି ଭିତିରି ସୂଚନା ଦେବା ସହ ବାଘ ଛାଲ ଚାଲାଣ ଦାୟିତ୍ୱ ବୁଝୁଥିଲେ। ବିଶେଷକରି ରାଉରକେଲା, ସୁନ୍ଦରଗଡ, ଦେବଗଡ ଓ ସମ୍ବଲପୁର ଅଞ୍ଚଳରେ ଥିବା ଜଙ୍ଗଲରେ ଏହି ର଼୍ୟାକେଟ ସକ୍ରିୟ ଥିଲା। ରାଜସ୍ଥାନ, ବିହାର ସମେତ ଅନ୍ୟ ଦେଶକୁ ମଧ୍ୟ ବାଘ ଛାଲ ଚାଲାଣ କରୁଥିଲେ। ଏହି ରାକେଟରେ ବନ ବିଭାଗର କେତେଜଣ କର୍ମଚାରୀ ସମ୍ପୃକ୍ତ ଥିବା ପୂର୍ବରୁ ଜଣାପଡିଥିବାବେଳେ ଏବେ ପୋଲିସ କର୍ମଚାରୀ ଗିରଫ ହେବା ଘଟଣା ରାଜ୍ୟ ପୋଲିସ ବିଭାଗର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ବାଘ ଛାଲ ଚୋରା ଚାଲାଣ ଘଟଣାରେ ଗତ ୨୦ ତାରିଖରେ ୩ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ପରେ ଏସ୍‌ଟିଏଫ୍‌ ବିଭିନ୍ନ ସ୍ଥାନରେ ଚଢାଉ କରି ଆଉ ୪ ଜଣଙ୍କୁ ଗିରଫ କରିଥିଲ। ସେମାନେ ହେଲେ କେନ୍ଦୁଝର ଜିଲା ନୟାକୋଟ ଅଞ୍ଚଳର କାଳିଓ ଚରଣ ଦାସ (୫୬) ଭାସ୍କର ଓରଫ ଭାଗୀରଥି ନାୟକ(୪୦), ପଣ୍ଡିତ ଓରଫ ପୀତାମ୍ବର ଖଟେଇ (୪୦) ଓ ସୁନ୍ଦରଗଡ ଜିଲା ବଣେଇ ଥାନା ଅଞ୍ଚଳର ନେତ୍ର ଓରଫ ନେତ୍ରାନନ୍ଦ କି:ାନ (୨୨)। ମଙ୍ଗଳବାର ଆଉ ଦୁଇଜଣଙ୍କୁ ଗିରଫ କରାଯିବା ପରେ ଏହି ସଂଖ୍ୟା ୯ରେ ପହଞ୍ଚତ୍ଛି। ଏହି ଘଟଣାରେ ଏସ୍‌ଟିଏଫ୍‌ କେସ୍‌ ନଂ.୮/୧୯ ରୁଜୁ କରି ତଦନ୍ତକୁ ବଢ଼ାଇଛି। ର଼୍ୟାକେଟରେ ସଂପୃକ୍ତ ଶିକାରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରିପାରିନାହିଁ। ସେମାନଙ୍କୁ ଗିରଫ କରିବା ପାଇଁ ଚଢାଉ ଜାରି ରହିଥିବାବେଳେ ଗିରଫ ଜେଲ୍‌ ଓ୍ବାର୍ଡର ଓ ହାବିଲ୍‌ଦାରଙ୍କୁ ରିମାଣ୍ଡରେ ଆଣି ଶିକାରୀ ଓ ର଼୍ୟାକେଟ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ଏସ୍‌ଟିଏଫ୍‌ ଆଶା ରଖିଛି।

Share