ବାଘମରା କ୍ରଶର ଉପରେ ଚଢ଼ାଉ:  ଲାଲ୍‌ ପତାକା ଲଗାଇଲେ ତହସିଲଦାର

ସଜନାଗଡ଼, ୨୦।୩(ଡି.ଏନ.ଏ.)-ନୀଳଗିରି ତହସିଲ ଅଧୀନରେ ଚାଲିଥିବା ବେଆଇନ ଖାଦାନ ଏବଂ କ୍ରଶରକୁ ସାବାଡ଼ କରିବାକୁ ପ୍ରଶାସନ ଉଦ୍ୟମ କରିଛି। ଜାମୁଡ଼ିହା ପଞ୍ଚାୟତ ଅଧୀନ ବାଘମରାରେ ଥିବା କ୍ରଶର ୟୁନିଟ୍‌ ଉପରେ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ଗୁରୁବାର ଚଢାଉ କରି ଆବଶ୍ୟକ ନଥିପତ୍ର ଯାଞ୍ଚ କରିଛନ୍ତି। କ୍ରଶର ଭିତରେ ଗଚ୍ଛିତ ଥିବା ପଥର ଓ ଚିପ୍‌ସକୁ ଦେଖି ରାଜସ୍ବ ବିଭାଗର ଅଧିକାରୀ ଚକିତ ହୋଇପଡ଼ିଥିଲେ। ପରେ ଉକ୍ତ କ୍ରଶରକୁ ଲିଜ୍‌ରେ ନେଇ ଚଳାଉଥିବା ଜଣେ ମାଲିକଙ୍କୁ ସମସ୍ତ କାଗଜପତ୍ର ମାଗିଥିଲେ। ମାତ୍ର ଲିଜ୍‌ଧାରୀଙ୍କ ପାଖରେ କେବଳ ପ୍ରଦୂଷଣ ସାର୍ଟିଫିକେଟ୍‌ ଛଡ଼ା ଅନ୍ୟ କୌଣସି କାଗଜପତ୍ର ନ ଥିବା ଜଣାପଡ଼ିଛି। ଷ୍ଟକ୍‌ ରେଜିଷ୍ଟର ମଧ୍ୟ ଠିକ୍‌ ଭାବେ ସୂଚାଇ ପାରି ନ ଥିଲେ। ଗଚ୍ଛିତ ଥିବା ପଥର ପରମିଟ୍‌ ମଧ୍ୟ ନ ଥିବା ଜଣାପଡ଼ିଛି। କ୍ରଶରରେ କାର୍ଯ୍ୟରତ କର୍ମଚାରୀମାନଙ୍କର ଶ୍ରମିକ କାର୍ଡ଼ ନ ଥିବା ଏବଂ କ୍ରଶର ୟୁନିଟ୍‌ର ସିଟିଂ କ୍ରାଇଟେରିଆ ଅନୁଯାୟୀ ସମ୍ପୂର୍ଣ୍ଣ ରୂପେ ବେଆଇନ୍‌ ଭାବେ ଚାଲୁଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ବିନା ପରମିଟ୍‌ରେ ଶହ ଶହ ଟ୍ରିପ୍‌ ପଥର ଆଣି ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ଫାଙ୍କୁଥିବା ନେଇ ନୀଳଗିରି ତହସିଲଦାର ଉକ୍ତ କ୍ରଶର ୟୁନିଟ୍‌ରେ ଲାଲ୍‌ ପତାକା ଲଗାଇଛନ୍ତି। ତିନି ଦିନ ମଧ୍ୟରେ ଆବଶ୍ୟକ କାଗଜ ପତ୍ର ଦାଖଲ ପାଇଁ ସୂଚନା ଦେଇଥିବା ବେଳେ ଠିକ୍‌ ସମୟରେ କାଗଜପତ୍ର ଦେଇ ନପାରିଲେ ଆଇନ୍‌ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୀଳଗିରି ଉପଜିଲାପାଳ ହରିଶ ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ନୀଳଗିରି ତହସିଲ ଅଧୀନରେ ଥିବା ସମସ୍ତ କ୍ରଶର ୟୁନିଟ୍‌ ଓ ଇଟାଭାଟି ଉପରେ ଆଗାମୀ ଦିନରେ ଚଢ଼ାଉ କରାଯାଇ ବେଆଇନ୍‌ କ୍ରଶର ଓ ଇଟାଭାଟି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୀଳଗିରି ତହସିଲ ପକ୍ଷରୁ ସୂଚନା ମିଳିଛି।