ବାଘୁଆ ପ୍ରକଳ୍ପରୁ ପାଣି ଛଡାଗଲା

ବୁଗୁଡ଼ା,୨୧ା୭(ଡି.ଏନ.ଏ.)- ବୁଗୁଡ଼ା ଜଳସେଚନ କାର୍ଯ୍ୟାଳୟ ପରିସରରେ ଜୁଲାଇ ୧୩ରେ ଅନୁଷ୍ଠିତ ବାଘୁଆ ପାଣି ପଞ୍ଚାୟତ ପ୍ରକଳ୍ପ କମିଟିର ନିଷ୍ପତ୍ତି ଅନୁଯାୟୀ ରବିବାର ଅପରାହ୍ନ ୪ଟାରେ ବାଘୁଆ ଡ୍ୟାମରୁ ଡ଼ାହାଣ ପାର୍ଶ୍ୱ କେନାଲ ଦେଇ ପାଣି ଛଡାଯାଇଛି। ବର୍ଷା ଅଭାବରୁ ଖରିଫ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ ପାଣି ଛଡ଼ାଯାଇଛି। ବାଘୁଆ ଡ୍ୟାମରୁ ଡ଼ାହାଣ ପାର୍ଶ୍ୱ କେନାଲ ଦ୍ୱାରା ପ୍ରତି ସେକେଣ୍ଡରେ ୮.୫୭ ଘନ ମିଟର ଜଳ ଛଡ଼ାଯାଉଛି। ଏହି ଜଳସେଚନ ଦ୍ୱାରା ବୁଗୁଡ଼ା ବ୍ଲକର ପ୍ରାୟ ୫ ହଜାର ହେକ୍ଟର ଓ ପୋଲସରା ବ୍ଲକର ପ୍ରାୟ ୩ ହଜାର ୫୦୦ ହେକ୍ଟର ଏପରି ମୋଟ ୮ ହଜାର ୫୦୦ ହେକ୍ଟର ଜମିରେ ଖରିଫ ଚାଷ ହୋଇପାରିବ। ରୋଟେସନ ମାଧ୍ୟମରେ ଜମିରେ ଜଳସେଚନ କରିବା ପାଇଁ ସମସ୍ତ ଚାଷୀ ଭାଇମାନଙ୍କୁ ଜଣାଇ ଦିଆଯାଇଥିବା ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି। କେନାଲରେ ଜଳ ଛଡ଼ାଯିବା ସମୟରେ ବୁଗୁଡ଼ା ଜଳସେଚନ ସହ ନିର୍ବାହୀ ଯନ୍ତ୍ରୀ ବିଷ୍ଣୁ ଚରଣ ସାହୁ, ସହକାରୀ ଯନ୍ତ୍ରୀ ବୈଜୟନ୍ତୀ ସାହୁ ଓ କେଶବ ଖଟାଇଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜଳର ସୁଷମ ବଣ୍ଟନ କରି ଜମିରେ ଜଳସେଚନ କରିବାକୁ ସହ ନିର୍ବାହୀ ଯନ୍ତ୍ରୀ ସାହୁ ବୁଗୁଡ଼ା ଓ ପୋଲସରା ବ୍ଲକର ପୂର୍ବତନ ପାଣି ପଞ୍ଚାୟତ କର୍ମକର୍ତ୍ତା ଓ ଚାଷୀମାନେ ସହଯୋଗ କରିବାକୁ ଆହ୍ବାନ ଦେଇଛନ୍ତି।
(((ଫଟୋ-ବିଏମ-୨୧-୯-ବାଘୁଆ କେନାଲରୁ ଖରିଫ ଚାଷ ପାଇଁ ପାଣି ଛଡ଼ାଯାଇଛି।

Share