ବାଘୁଣୀର ବିବାଦୀୟ ହତ୍ୟା ଉପରେ ଆଧାରିତ ଫିଲ୍ମରେ ନଜର ଆସିବେ ବିଦ୍ୟା

ମୁମ୍ବାଇ: ବିଦ୍ୟା ବଲାନ୍‌ ବଲିଉଡ୍‌ର ଜଣେ ବହୁମୁଖୀ ଅଭିନେତ୍ରୀ। ତାଙ୍କ ଫିଲ୍ମ ପ୍ରାୟତଃ ନାରୀ କୈନ୍ଦ୍ରିକ ହୋଇଥିବାବେଳେ ଫିଲ୍ମରେ ସୁସ୍ଥ ସମାଜ ପାଇଁ ବାର୍ତ୍ତା ମଧ୍ୟ ରହିଥାଏ। ତେବେ ୨୦୨୦ରେ ରିଲିଜ୍‌ ହେବାକୁ ଯାଉଛି ବିଦ୍ୟାଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’। ଏହାପରେ ସେ ପୁଣି ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମରେ ନଜରକୁ ଆସିବେ, ଯାହାକୁ ନେଇ ଆଜିକାଲି ଚର୍ଚ୍ଚା ଜୋର୍‌ ଧରିଛି। ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚା ହେବା ମଧ୍ୟ ସ୍ବାଭାବିକ। ଘଟଣାଟି ଦିନେ ସାରା ଦେଶକୁ ପ୍ରତିକ୍ରିୟାଶୀଳ କରିଦେଇଥିଲା। ଖବରର ଶିରୋନାମାରେ ସ୍ଥାନିତ ବାଘୁଣୀ ଅବ୍‌ନୀର ହତ୍ୟା ଉପରେ ଆଧାରିତ ଫିଲ୍ମରେ ବିଦ୍ୟାଙ୍କୁ ଦେଖିବାକୁ ମିଳିବ ବୋଲି ଜଣାପଡ଼ିଛି।
ନଭେମ୍ବରରେ ମହାରାଷ୍ଟ୍ରର ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ମହାରାଷ୍ଟ୍ରର ପାଣ୍ଢରକାଓଡ଼ା ଅଞ୍ଚଳରେ ବାଘୁଣୀ ଅବ୍‌ନୀ ୧୩ ଜଣଙ୍କୁ ଶିକାର କରିଥିଲା। ବାଘୁଣୀର ଏଭଳି ରକ୍ତମୁଖା ରୂପ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳାଇଦେଇଥିଲା। ସ୍ଥାନୀୟ ଅଞ୍ଚଳରେ ଅବ୍‌ନୀକୁ ନେଇ ଭୟ ଓ ଆତଙ୍କ ବଢ଼ିଚାଲିଥିବାରୁ ତାକୁ ହତ୍ୟା କରାଯାଇଥିଲା। ଏହି ଚର୍ଚ୍ଚିତ ତଥା ବିବାଦୀୟ ହତ୍ୟାକୁ ନେଇ ସାରା ଦେଶରୁ ପ୍ରତିକ୍ରିୟା ଆସିଥିଲା। ଏହା ଏକ ମୁଖ୍ୟ ପ୍ରସଙ୍ଗ ହୋଇ ଅନେକ ଦିନ ପର୍ଯ୍ୟନ୍ତ ଗଣମାଧ୍ୟମର ଶିରୋନାମାରେ ସ୍ଥାନ ପାଇଥିଲା। ତେବେ ଏହି ଘଟଣା ଉପରେ ବିଦ୍ୟାଙ୍କ ଆଗାମୀ ଫିଲ୍ମ ଆଧାରିତ। ଫିଲ୍ମରେ ସେ ଜଣେ ଫରେଷ୍ଟ ଅଫିସର ଭାବେ ନଜରକୁ ଆସିବେ ବୋଲି ଜଣାପଡ଼ିଛି। ଏଭଳି ଚରିତ୍ର ପାଇଁ ଜଣେ ଦକ୍ଷ କଳାକାର ଓ କୁଶଳୀ ଅଭିନେତ୍ରୀଙ୍କର ଆବଶ୍ୟକ ହେଉଥିବାବେଳେ ବିଦ୍ୟା ଏଥିପାଇଁ ଏକଦମ୍‌ ଫିଟ୍‌ ବୋଲି କୁହାଯାଉଛି। ଅନ୍ୟପଟେ ମେ’ ୮ରେ ତାଙ୍କ ଫିଲ୍ମ ‘ଶକୁନ୍ତଳା ଦେବୀ’ ରିଲିଜ୍‌ ହେଉଛି। ଏହା ଏକ ବାୟୋପିକ୍‌ ହୋଇଥିବାବେଳେ ହ୍ୟୁମାନ୍‌ କମ୍ପ୍ୟୁଟର କୁହାଯାଉଥିବା ଶକୁନ୍ତଳା ଦେବୀଙ୍କ ଜୀବନୀ ଉପରେ ଆଧାରିତ।

Share