ବାଘ ସୁରକ୍ଷା: ଦାୟ କାହାର

ସବ୍ୟସାଚୀ ଅମିତାଭ

ଏଇ ଦିନ କେଇଟା ତଳେ ଉତ୍ତରପ୍ରଦେଶର ପିଲ୍‌ଭିଟ୍‌ ବ୍ୟାଘ୍ର ଅଭୟାରଣ୍ୟର ଗୋଟିଏ ମହାବଳ ବାଘକୁ ଲୋକେ ପିଟିପିଟି ମାରିଦେଇଛନ୍ତି। ଖାଦ୍ୟ ଅନ୍ବେଷଣରେ ବାଘଟି ଜନବସତି ଆଡକୁ ଆସିଥିବାବେଳେ ଲୋକେ ତାକୁ ଚାରିପଟୁ ଘେରିଯାଇ ଲାଠିରେ ପିଟି ପିଟି ମାରିଦେଇଥିଲେ। ବାଘଙ୍କ ସୁରକ୍ଷା ଓ ଏଥିପାଇଁ ସଚେତନତାର କଥା ପ୍ରତିବର୍ଷ କୁହାଯାଉଛି, ହେଲେ ବାସ୍ତବରେ ଏହା କେତେ ଦୂର ସଫଳ ହୋଇପାରିଛି ତା’ର ଅନୁଶୀଳନ ହେବା ଦରକାର।
୨୦୧୦ ମସିହାରେ ରୁଷିଆର ସେଣ୍ଟ ପିଟର୍ସଠାରେ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ଟାଇଗର ଫୋରମ୍‌ ଆୟୋଜନ କରାଯାଇଥିଲା। ଏହା ଥିଲା ପୃଥିବୀର ପ୍ରଥମ ବ୍ୟାଘ୍ର ଶିଖର ସମ୍ମିଳନୀ। ଏହାର ଆୟୋଜକ ଥିଲେ ରୁଷିଆର ତତ୍କାଳୀନ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଓ ବିଶ୍ୱବ୍ୟାଙ୍କର ସଭାପତି ରବର୍ଟ ଜୋଲିକ୍‌। ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଶ୍ୱସ୍ତରରେ କିପରି ବାଘଙ୍କୁ ସୁରକ୍ଷା ଦିଆଯାଇପାରିବ ଓ ୨୦୨୦ ସୁଦ୍ଧା ଏମାନଙ୍କ ସଂଖ୍ୟାକୁ ଦୁଇଗୁଣ କରାଯିବ। ସେବେଠାରୁ ପ୍ରତିବର୍ଷ ଜୁଲାଇ ୨୯ ତାରିଖକୁ ବିଶ୍ୱ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି।
ଭାରତ ସରକାର ୧୯୭୨ରେ ମହାବଳ ବାଘକୁ ଜାତୀୟ ପଶୁର ମାନ୍ୟତା ଦେଇଛନ୍ତି। ଏମାନେ ମୁଖ୍ୟତଃ ଭାରତ, ନେପାଳ, ବାଂଲାଦେଶ, ମ୍ୟାନମାର ଓ ଶ୍ରୀଲଙ୍କା ଆଦି ଦେଶରେ ଦେଖାଯାଆନ୍ତି। ଘଞ୍ଚ ଜଙ୍ଗଲ, ହେନ୍ତାଳ ବଣ, ବୁଦୁବୁଦୁକିଆ ଘାସ ଜଙ୍ଗଲ ଏମାନଙ୍କର ଚଳପ୍ରଚଳର ପ୍ରକୃଷ୍ଟ ସ୍ଥାନ। ଏସବୁ ସ୍ଥାନର ଅଭାବକୁ ଆଖି ଆଗରେ ରଖି ଭାରତ ସରକାର ୧୯୨୩ରେ ପ୍ରୋଜେକ୍ଟ ଟାଇଗରର ଶୁଭାରମ୍ଭ କରିଥିଲେ।
ବିଶ୍ୱସ୍ତରୀୟ ବ୍ୟାଘ୍ର ଗଣନା ଅନୁସାରେ, ଶତକଡ଼ା ୭୦ ବାଘ କେବଳ ଭାରତରେ ଅଛନ୍ତି। ୨୦୧୪ର ତଥ୍ୟ ଅନୁସାରେ ସାରା ବିଶ୍ୱରେ ଥିବା ୩,୮୯୦ ବାଘଙ୍କ ଭିତରୁ କେବଳ ଭାରତରେ ରହିଛନ୍ତି ୨୨୨୬। ୨୦୧୦ରେ ଏହି ସଂଖ୍ୟା ଥିଲା ୧୭୦୬। କର୍ନାଟକରେ ୩୦୦, ମଧ୍ୟପ୍ରଦେଶରେ ୨୫୭, ଉତ୍ତରାଖଣ୍ଡରେ ୨୨୭, ମହାରାଷ୍ଟ୍ରରେ ୧୬୯, ତାମିଲନାଡୁରେ ୧୬୩, ଆସାମରେ ୧୪୩, ଆନ୍ଧ୍ରପ୍ରଦେଶରେ ୭୨, କେରଳରେ ୭୧ ଓ ରାଜସ୍ଥାନରେ ୩୬ଟି ବାଘ ଅଛନ୍ତି। ୨୦୧୮ରେ ବାଘଗଣନା କରାଯାଇଥିଲେ ବି ଏହାର ଅଧ୍ୟୟନ କରାଯାଉଥିବାରୁ ଏବେ ବାଘ ସଂଖ୍ୟା କେତେ ରହିଛି ସେ ତଥ୍ୟ ସାର୍ବଜନୀନ ହୋଇପାରିନି। ହେଲେ ୨୦୧୦ ତୁଳନାରେ ୨୦୧୪ରେ ବାଘଙ୍କ ସଂଖ୍ୟା ବଢିଥିଲା। ବାଘ ଗଣନା ପାଇଁ ଠିକ୍‌ ପଦ୍ଧତିରେ ସର୍ଭେ ତଥା ଉନ୍ନତମାନର ଯନ୍ତ୍ରପାତି, ଟ୍ରାପ୍‌ କ୍ୟାମେରା ଆଦି ବ୍ୟବହାର ଫଳରେ ବାଘ ସଂଖ୍ୟା ଗଣନା ପ୍ରାୟତଃ ତ୍ରୁଟିଶୂନ୍ୟ ରହୁଛି। ଆମ ରାଜ୍ୟରେ ମଧ୍ୟ ୬୦ରୁ ଅଧିକ ମହାବଳ ବାଘ ଥିବା ତଥ୍ୟରୁ ଜଣାପଡ଼େ। ଶିମିଳିପାଳ ଜାତୀୟ ଅଭୟାରଣ୍ୟ, ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସହିତ ସୁନ୍ଦରଗଡ଼ର ହେମଗିରି, ସମ୍ବଲପୁରର ଦେବ୍ରୀଗଡ଼ ଓ ନୂଆପଡାର ସୁନାବେଡା ଅଭୟାରଣ୍ୟରେ ମଧ୍ୟ ବାଘ ଅଛନ୍ତି।
ବାଘସଂଖ୍ୟା ହ୍ରାସ ପାଇବାର ପ୍ରମୁଖ କାରଣ ହେଉଛି ବେଆଇନ ଶିକାର ତଥା ଅନ୍ତର୍ଜାତୀୟ ବଜାରରେ କାରବାର- ବାଘ ଶରୀରର ପ୍ରତିଟି ଅଂଶର ଚାହିଦା ଥିବାରୁ ବେଆଇନ ଶିକାର ଦିନକୁ ଦିନ ବଢିବାରେ ଲାଗିଛି। ବାଘ ନିଶଠାରୁ ଆରମ୍ଭ କରି ଏହାର ଲାଞ୍ଜ ପର୍ଯ୍ୟନ୍ତ ପ୍ରତିଟି ଅଙ୍ଗ ଔଷଧ ତିଆରିରେ ଲାଗୁଥିବାରୁ ତଥା ଅନ୍ତର୍ଜାତୀୟ ବଜାରରେ ଏସବୁର ଦାମ୍‌ ବହୁତ ଅଧିକ ଥିବାରୁ ବାଘ ଶିକାର ବଢିବାରେ ଲାଗିଛି। ଜଙ୍ଗଲ ମାଫିଆ, ଶିକାରୀ ଓ ବନ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ବାଘ ପାଇଁ ମୃତ୍ୟୁର ବାଟ ଖୋଲି ଦେଇଛି। କେନ୍ଦ୍ର ଜଙ୍ଗଲ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୦୧୨ରୁ ୨୦୧୭ ମଧ୍ୟରେ ଦେଶରେ ସବୁଠାରୁ ଅଧିକ ଅର୍ଥାତ୍‌ ୪୫ ପ୍ରତିଶତ ବାଘଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୩୭ ପ୍ରତିଶତ ବାଘଙ୍କୁ ଶିକାର କରାଯାଇଛି। ଅନ୍ୟ ବାଘ ମୃତ୍ୟୁ ରାସ୍ତା ଓ ଟ୍ରେନ୍‌ ଦୁର୍ଘଟଣାଜନିତ।
ବାଘର ଘର ଜଙ୍ଗଲ ନଷ୍ଟ ହେବା ବାଘସଂଖ୍ୟା କମିବାର ଆଉ ଏକ ବଡ଼ କାରଣ। ଚାଷ, କାଠ, ଭିତ୍ତିଭୂମି ନିର୍ମାଣ ପାଇଁ ଅନେକ ସମୟରେ ଜଙ୍ଗଲ କାଟି ସଫା କରାଯାଉଛି। ଏହି କାରଣରୁ ୯୩ ପ୍ରତିଶତ ବାଘଙ୍କ ବାସସ୍ଥଳୀ ଏବେ ବିପଦରେ। ଜଙ୍ଗଲ ନଷ୍ଟ ହେବାରୁ ବାଘ ଜନବସତି ଆଡ଼କୁ ଆସୁଛନ୍ତି। ଫଳରେ ଅନେକ ସମୟରେ ବାଘ-ମଣିଷ ସଂଘର୍ଷ ଦେଖିବାକୁ ମିଳୁଛି। କେତେବେଳେ ମଣିଷ ମରୁଛି, ଆଉ କେତେ ବେଳେ ବାଘ ମରୁଛି। ଜଳବାୟୁ ପରିବର୍ତ୍ତନ ଓ ପାରିବେଶିକ ଅସନ୍ତୁଳନ କାରଣରୁ ସମୁଦ୍ର ପତ୍ତନ ବଢିବାରେ ଲାଗିଛି। ଫଳରେ ଏକଦା ବାଘଙ୍କ ନିରାପଦ ଆଶ୍ରୟସ୍ଥଳୀ ଥିବା ପଶ୍ଚିମବଙ୍ଗର ସୁନ୍ଦରବନ ଏବେ ବିପଦରେ।
ତେବେ ଏସବୁ କାରଣ ସତ୍ତ୍ୱେ ଭାରତରେ ବାଘସଂଖ୍ୟା ବଢୁଛି, ଏହା ଏକ ଖୁସି ଖବର। ଅନେକ ରାଜ୍ୟରେ ନିଷ୍ଠାପର ବନ କର୍ମଚାରୀଙ୍କ ଉଦ୍ୟମ ଓ କଡ଼ା ପାଟ୍ରୋଲିଂ କାରଣରୁ ଶିକାରକୁ ଅନେକ ପରିମାଣରେ ରୋକାଯାଇପାରିଛି। ବାଘଙ୍କ ସୁରକ୍ଷା ପାଇଁ ସରକାରୀ ସ୍ତରରେ ମଧ୍ୟ ଢାଞ୍ଚାଗତ ପରିବର୍ତ୍ତନର ଆବଶ୍ୟକତା ରହିଛି। ପ୍ରୋଜେକ୍ଟ ଟାଇଗର ପରି ପ୍ରକଳ୍ପ କିଛିବର୍ଷ ହେଲା କେବଳ କାଗଜପତ୍ରରେ ଚାଲୁଥିବାରୁ ଏହାର ସମୀକ୍ଷା ହେବା ସହ ନୂଆ ଯୋଜନା ତିଆରି ହେବା ଦରକାର।
ଭୁବନେଶ୍ୱର, ମୋ- ୯୪୩୮୨୯୬୫୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri