ବାଙ୍କତିରା ଜଳସେଚନ ପ୍ରକଳ୍ପ ନିର୍ମାଣରେ ଅନିଶ୍ଚିତତା: କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ,୧୨।୬: ବାଲେଶ୍ୱର ସଦର ବ୍ଲକ ଦେଇ ପ୍ରବାହିତ ବୁଢାବଳଙ୍ଗ ନଦୀରେ ବାଙ୍କତିରା ଜଳସେଚନ ପ୍ରକଳ୍ପ ନିର୍ମାଣ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି ା ବୁଧବାର ପୂର୍ବାହ୍ନରେ ନିଳିଆବାଗଠାରେ ବାଙ୍କତିରା ଜଳସେଚନ ପ୍ରକଳ୍ପ ନିର୍ମାଣ କ୍ରିୟାନୁଷ୍ଠାନ କମିଟିର ବୈଠକ ସଂଘର ସଭାପତି ଶୁଭଙ୍କର ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ନାୟକ ପ୍ରାରମ୍ଭିକ ସୂଚନା ଦେଇ ଏ ସମ୍ପର୍କରେ ମତାମତ ଲୋଡ଼ିଥିଲେ। ବାଙ୍କତିରା ଜଳସେଚନ ପ୍ରକଳ୍ପ ନ ହୋଇ ଏହା ସ୍ଥାନାନ୍ତରିତ ହେଉଥିବାର ସୂଚନା ମିଳୁ ନଥିବାରୁ ଏ ନେଇ ପ୍ରଶ୍ନ ଉଠାଯାଇଥିଲା। ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଥିବା କୁହାଯାଇଥିଲା।
ସଂଘର ଉପସଭାପତି ଇଂ. ପ୍ରଦୀପ ମହାନ୍ତି, ପ୍ରଭୁଚରଣ ରାଉତ, କୋଷାଧ୍ୟକ୍ଷ ଲମ୍ବୋଦର ପ୍ରଧାନ, ଉତ୍ତମ ପ୍ରଧାନ, ଶ୍ରୀକୃଷ୍ଣ ଗିରି, ବିଜୟକୃଷ୍ଣ ବେରା, ଦୁର୍ଗାପଦ ଭୂୟାଁ, ସଦାଶିବ ନାୟକ, ଚନ୍ଦ୍ରଶେଖର ପାଣି, ଶଶିକାନ୍ତ ବେହେରା, ମନୋରଞ୍ଜନ ପ୍ରଧାନ, ଅଭିମନ୍ୟୁ ଦାସ, ଅନନ୍ତ ମହାଳିକ, ଚୈତନ୍ୟ ମହାପାତ୍ର, ଦିବାକର ତରେଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆଗାମୀ ଦିନରେ ତୀବ୍ର ଆନ୍ଦୋଳନାମତ୍କ ପନ୍ଥା ଗ୍ରହଣ କରାଯିବ ବୋଲି ମତ ରଖିଥିଲେ। ନବନିର୍ବାଚିତ ବିଧାୟକ, ଏମପିଙ୍କୁ ଏହି ବିଷୟରେ ଅବଗତ କରାଯିିବାକୁ ସ୍ଥିର ହୋଇଥିଲା। ରାଜ୍ୟସରକାର ଓ ଜିଲା ପ୍ରଶାସନ ତୁରନ୍ତ ଏଦିଗରେ ପଦକ୍ଷେପ ନେବା ଲାଗି ଦାବି କରାଯାଇଥିଲା। ସତର୍କବାଣୀ ସହ ଆଇନଗତ ପଦକ୍ଷେପ ନେବାପାଇଁ ମତାମତ ପ୍ରକାଶ ପାଇଥିଲା। ଏଥିରେ ୧୫ଟି ପଞ୍ଚାୟତର ବହୁ କମିଟି ସଦସ୍ୟ ଓ ପ୍ରତିନିଧି ଯୋଗଦେଇଥିଲେ।

Share