ବାଙ୍କୀ ଡବଲ ମର୍ଡର ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

ବାଙ୍କୀ,୨୮। ୨(ସ୍ବ.ପ୍ର.): ବାଙ୍କୀ ଡବଲ ମର୍ଡର ଘଟଣାରେ ପୂର୍ବରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଗୁରୁବାର ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ନୂଆଗାଁ ପଞ୍ଚାୟତସ୍ଥିତ ଖଜୁରିପଦା ଗ୍ରାମର ତାରିଆ ପ୍ରଧାନ (୩୮), ପପୁ ପ୍ରଧାନ (୧୯), ଦୀପୁ ବେହେରା ଓରଫ୍‌ ଟେରା (୨୫)। ବିଚାରପତି ଦୀପଙ୍କର ପଟ୍ଟନାୟକ କାଗଜ ପତ୍ର ଯାଞ୍ଚ କରିବା ପରେ ଅଭିଯୁକ୍ତମାନଙ୍କୁ ବାଙ୍କୀ ଉପଖଣ୍ଡ କାରାଗାରକୁ ପଠାଇଦେଇଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବା ପାଇଁ ଉଦ୍ୟମ ଚାଲିଛି ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ତଥା ତଦନ୍ତକାରୀ ଅଫିସର ପ୍ରସନ୍ନ କୁମାର ବିଶ୍ୱାଳ ପ୍ରକାଶ କରିଛନ୍ତି। ଗତ ୧୫ ତାରିଖ ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବାଙ୍କୀ ଥାନା ଅନ୍ତର୍ଗତ କିଆପଲା ଜୋକଲାଞ୍ଜି ଜଳସେଚନ ପ୍ରକଳ୍ପ ନିକଟରେ ଏହି ଡବଲ୍‌ ମର୍ଡର ହୋଇଥିଲା। ଦୁର୍ବୃତ୍ତମାନେ ନୂଆଗାଁ ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଭଗବାନ ସ୍ବାଇଁ ଓ ଖବରଦାତା ଆଦିତ୍ୟ ରଣସିଂହଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଘଟଣାସ୍ଥଳରେ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ବଡ଼ ଡାକ୍ତରଖାନାରେ ଭଗବାନଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଥାନାରେ ଅଭିଯୁକ୍ତମାନଙ୍କ ବିରୋଧରେ ଦଫା ୩୦୨, ୧୪୭,୧୪୮, ୧୨୦(ବି) ଏବଂ ୧୪୯ ଭାରତୀୟ ପିଙ୍ଗଳକୋଡ୍‌ ଅନୁଯାୟୀ ମାମଲା (ନଂ.୩୯/୨୦)ରୁଜୁ କରାଯାଇଛି। ଭଗବାନ ମୃତ୍ୟୁ ପୂର୍ବରୁ ଏକ ଭିଡିଓରେ ୮ରୁ ୯ ଜଣ ଅଭିଯୁକ୍ତଙ୍କ ନାମ ନେଇଥିବା ବେଳେ ପରବର୍ତ୍ତୀ ସମୟରେ କଟକ ଜିଲା ଗ୍ରାମାଞ୍ଚଳ ଆରକ୍ଷୀ ଅଧିକାରୀ ରାଧା ବିନୋଦ ପାଣିଗ୍ରାହୀ ଏହି ଘଟଣାରେ ୧୫ରୁ ୨୦ଜଣ ସାମିଲ୍‌ ଥିବା କହିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ କଂଗ୍ରେସ ପକ୍ଷରୁ ଫେବୃୟାରୀ ୨୯ରେ ବାଙ୍କୀ ବନ୍ଦ ଡାକରା ଦିଆଯାଇଛି।

Share