ବାଙ୍କୀ ଡବଲ ମର୍ଡର ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର,୨୧।୨(ବ୍ୟୁରୋ): କଟକ ଜିଲା ବାଙ୍କୀଠାରେ କିଛିଦିନ ତଳେ ଘଟିଥିବା ଡବଲ ମର୍ଡର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସିଧାସଳଖ କଂଗ୍ରେସ ଟାର୍ଗେଟ କରିଛି। ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି। କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ନିରଞ୍ଜନ କହିଛନ୍ତି , ବାଙ୍କୀରେ କଂଗ୍ରେସର ଜଣେ ସରପଞ୍ଚଙ୍କ ସ୍ବାମୀ ଏବଂ ତାଙ୍କ ସାଙ୍ଗରେ ଥିବା ଜଣେ ଖବରଦାତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ରାଜନୈତିକ ଶତ୍ରୁତା ପାଇଁ ସେମାନଙ୍କୁ ହତ୍ୟା କରାଯାଇଛି। ଏଥିରେ ବିଜେଡି ନେତାଙ୍କ ସମ୍ପୃକ୍ତି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସାର ଡାକରା ଦେଇଥିବା ବେଳେ ତାଙ୍କ ଦଳ ଲୋକମାନେ ଏପରି କରୁଛନ୍ତି। ଏହି ଘଟଣାକୁ ସେ ତୀବ୍ର ନିନ୍ଦା କରିଛନ୍ତି। ସରକାର ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରନ୍ତୁ। ଏହା ପଛରେ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହା ବାହାର କରାଯାଉ ବୋଲି ନିରଞ୍ଜନ କହିଛନ୍ତି। ଏହାସହ ଗତ ୧୭ ତାରିଖରେ ହତ୍ୟାର ଶିକାର ହୋଇଥିବା ଭଗବାନ ସ୍ବାଇଁଙ୍କ ଘରକୁ ଯାଇଥିବାବେଳେ ସମ୍ପୂର୍ଣ୍ଣ ଗାଁରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା ବୋଲି ନିରଞ୍ଜନ କହିଛନ୍ତି।
ରାଜ୍ୟ ବଜେଟକୁ ନେଇ ନିରଞ୍ଜନ କହିଛନ୍ତି, ରାଜ୍ୟ ସରକାର ଆଣିଥିବା ୨୦୨୦-୨୧ ବଜେଟରେ ଓଡିଶାକୁ ଦେବାଳିଆ, ଅନଗ୍ରସରତା, ବେକାରି ବୃଦ୍ଧି ଭିତରକୁ ଠେଲି ଦେବାର ବ୍ୟବସ୍ଥା ରହିଛି। କୃଷି, ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥାର ମୌଳିକ ଆବଶ୍ୟକତା ପ୍ରତି ଅଣଦେଖା କରାଯାଇଛିି। ଖଣିଜ ସମ୍ପଦ ବିକ୍ରିରୁ ଅଧିକ ଆଦାୟ କରିବାକୁ ଉଦ୍ୟମ କରିଛି। ଏହା ସମ୍ପୂର୍ଣ୍ଣ ଅସ୍ବଚ୍ଛ ବଜେଟ। ରାଜ୍ୟରେ ବେକାରି ସଂଖ୍ୟା ବୃଦ୍ଧି ପାଇଛି। ୨୦୧୮-୧୯ରେ ଦରମା ବାବଦରେ ଖର୍ଚ୍ଚ ମୋଟ ଆୟର ୨୩.୭୮ପ୍ରତିଶତ ଥିଲା, ମାତ୍ର ୨୦୨୦-୨୧ ବଜେଟରେ ୨୨.୫୯ପ୍ରତିଶତକୁ କମିଛି। କର୍ମଚାରୀଙ୍କ ବକେୟା ମହଙ୍ଗା ଭତ୍ତା ୪୦ପ୍ରତିଶତ ଦିଆଯାଇନାହିଁ। ଉନ୍ନୟନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି, ଏଭଳି ସ୍ଥିତିରେ କେନ୍ଦ୍ର ମଧ୍ୟ ବଜେଟରେ ଓଡିଶା ଅନୁଦାନକୁ କମାଇଦେଇଛି। ତେଣୁ ସରକାର ବଜେଟରେ ବରାଦ କରିଥିବା ଅର୍ଥ କେଉଁଠାରୁ ଆଣିବେ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି।

Share