ବାଙ୍କୁଆଳ ଦୁର୍ଗାପୂଜା କମିଟି: ଆକର୍ଷଣ ହେବ ୫୧ ଫୁଟର ରାବଣ

ପୁରୁଣା ଭୁବନେଶ୍ୱର,୩ା୧୦(ଡି.ଏନ.ଏ.): ରାଜଧାନୀରେ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଆଗମନ ନେଇ ପ୍ରସ୍ତୁତି ଜୋରସୋର ଆଗେଇ ଚାଲିଛି। ଏହି ଅବସରରେ ସ୍ଥାନୀୟ ବାଙ୍କୁଆଳ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗାପୂଜା ଚଳିତବର୍ଷ ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଛି। ବାଙ୍କୁଆଳ ଗ୍ରାମବାସୀଙ୍କ ଆଗ୍ରହ ଓ ସହଯୋଗ ପାଇଁ ଖୁବ୍‌ କମ ସମୟରେ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଉଛି। ମହାରାଷ୍ଟ୍ରର ନାନ୍ଦେଡ୍‌ ଗୁରୁଦ୍ୱାର ପ୍ରତିକୃତିର ତୋରଣ ଶୋଭା ପାଇବ। ୨ ଲକ୍ଷ ଟଙ୍କା ବ୍ୟୟରେ ଏହି ତୋରଣକୁ କଲିକତା ଏବଂ କଟକର ୨୦ରୁ ଊର୍ଦ୍ଧ୍ୱ କାରିଗର ନିର୍ମାଣ କରିବାରେ ଲାଗିପଡିଛନ୍ତି। ଜନବସତି ଏବଂ ସାହିଗୁଡିକରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିଲେ ହେଁ ରାବଣ ପୋଡି ପାଇଁ ଅନୁମତି କମିଶନରେଟ ପୋଲିସର ନିୟମ ନେଇ ଏଥିରେ ଅଙ୍କୁଶ ଲାଗିଛି। ମାତ୍ର ଏଥର ଏହି ଦୁର୍ଗାପୂଜାରେ ରାବଣ ପୋଡି ପାଇଁ ବାଙ୍କୁଆଳ ଦୁର୍ଗାପୂଜା କମିଟିକୁ ଅନୁମତି ପ୍ରଦାନ କରାଯାଇଛି। ପ୍ରାୟ ୫୧ ଫୁଟ ଉଚ୍ଚର ଏହି ରାବଣ କଟକରୁ ପ୍ରସ୍ତୁତ କରାଯାଇ ଆସିବା ପାଇଁ ସ୍ଥିର କରାଯାଇଛି। ଏଥିପାଇଁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା କମିଟି ସଭାପତି ସୁନୀଲ ସ୍ବାଇଁ କହିଛନ୍ତି। କୁଆଖାଇ ନଦୀପଠାରେ କମିଶନରେଟ୍‌ ଗାଇଡ଼ ଲାଇନ ଅନୁସାରେ ୧୦୦ ମିଟର ଦୂରତ୍ୱରେ ବାରିକେଡ କରାଯିବ ଏବଂ ଶ୍ରଦ୍ଧାଳୁମାନଙ୍କୁ ତଦାରଖ ପାଇଁ ୪୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଅବସରରେ ରାବଣ ପୋଡି ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି। ରାବଣ ପୋଡି ଦେଖିବା ପାଇଁ ଭିଙ୍ଗାରପୁର, ବରଗଡ଼, ବ୍ରହ୍ମେଶ୍ୱରପାଟଣା, ବାଳକାଟୀ, ଟୋଲକପଡ଼ା, ଅନ୍ଧୋଟି, ସତ୍ୟଭାମାପୁର, ସରକଣା ଆଦି ମୌଜାର ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ସେହିିଭଳି ୩ ଘଣ୍ଟାରେ ୧୦ ହଜାର ଚାରାରୋପଣ କରାଯିବା ଭଳି ଏକ ବୃକ୍ଷରୋପଣ ସଚେତନତା କାର୍ଯ୍ୟକ୍ରମ ହେବ ବୋଲି କମିଟିର ମୁଖ୍ୟ ଉପଦେଷ୍ଟା କବିରାଜ ସ୍ବାଇଁ କହିଛନ୍ତି।

Share