ବାଙ୍ଗାଲୋରରେ ହତ୍ୟାକାଣ୍ଡ ଘଟଣା : ଅଭିଯୁକ୍ତ ଯୁବକ ଇରମରୁ ଗିରଫ

ବାସୁଦେବପୁର, ୬।୭ (ଡି.ଏନ.ଏ.) – ବାଙ୍ଗାଲୋରରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଯୁବକ ଆକାଶ ଗୌଡ଼(୨୨)ଙ୍କୁ ବାସୁଦେବପୁର ଥାନା ଅଧୀନ ଇରମ ଆଡ଼ିଆ ଗ୍ରାମରୁ ଗତ ଶୁକ୍ରବାର ପୋଲିସ ଗିରଫ କରି ବାଙ୍ଗାଲୋର ପୋଲିସକୁ ହସ୍ତାନ୍ତର କରିଛି। ପୋଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ଆକାଶଙ୍କ ଘର ବାଙ୍ଗାଲୋର ସିଟି ଭେଲିକାଭେଲ ଥାନା ଅଧୀନ କେମ୍ପାଗୌଡନଗରରେ। ଗତ ଜୁନ୍‌ ୧୬ ତାରିଖରେ ବାଙ୍ଗାଲୋର ସିଟି ଅଞ୍ଚଳର ମାଲେଶ୍ୱରମ୍‌ ଛକ ସାମ୍ନାରେ ଆକାଶ ଓ ତାଙ୍କର ଅନ୍ୟ ଦୁଇଜଣ ସହଯୋଗୀ ଶ୍ରୀନିବାସ ରାଓ ନାମକ ଜଣେ ବ୍ୟବସାୟୀଙ୍କ ପୁତ୍ରଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରି ଫେରାର ହୋଇଯାଇଥିଲେ। ଏ ନେଇ ଶ୍ରୀନିବାସଙ୍କ ଅଭିଯୋଗ କ୍ରମେ ଭେଲିକାଭେଲ ଥାନାରେ ଦଫା ୩୦୨, ୩୦୭, ୩୪ ଆଇପିସିରେ ଏକ ମାମଲା(ନଂ. ୫୨/୧୯) ରୁଜୁ ହୋଇ ପୋଲିସ ତଦନ୍ତ ଜାରି ରଖିଥିଲା। ସ୍ଥାନୀୟ ଅଞ୍ଚଳରେ ଅଭିଯୁକ୍ତ ଆକାଶ ଥିବା ଜାଣିବା ପରେ ଶୁକ୍ରବାର ବାସୁଦେବପୁର ଥାନା ଆଇଆଇସି ଉମାଶଙ୍କର ନାୟକ ସଦଳବଳ ଚଢ଼ାଉ କରି ଇରମ ଆଡ଼ିଆ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ତାଙ୍କୁ ଧରିଥିଲେ। ପରେ ତାଙ୍କୁ ବାଙ୍ଗାଲୋର ପୋଲିସକୁ ହସ୍ତାନ୍ତର କରାଯାଇଛି।
ପ୍ରକାଶ ଯେ, ଇରମ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କର ଏକ ଦୋକାନ ବାଙ୍ଗାଲୋରରେ ଅଛି। ସେଠାରେ ତାଙ୍କର କେତେକ ସମ୍ପର୍କୀୟ ରହନ୍ତି। ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଆକାଶ ଏହି ବ୍ୟକ୍ତିଙ୍କ ପୁଅ ସହ ରଥଯାତ୍ରା ଦେଖିବାକୁ ଓଡ଼ିଶା ପଳାଇ ଆସି ଇରମରେ ରହିଥିଲେ। ଏ ସମ୍ପର୍କରେ ବାଙ୍ଗାଲୋର ପୋଲିସ ବାସୁଦେବପୁର ପୋଲିସକୁ ଅବଗତ କରିବା ପରେ ଆକାଶଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇ ସଫଳ ହୋଇଥିଲା।