ବାଚସ୍ପତି ହେବେ ସୂର୍ଯ୍ୟ ପାତ୍ର, ପ୍ରମିଳା ହେବେ ଶାସକ ଦଳର ମୁଖ୍ୟ ସଚେତକ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ଓଡ଼ିଶାର ବରିଷ୍ଠ ବିଜେଡି ନେତା ତଥା ବହୁବାର ବିଧାୟକ ହୋଇଥିବା ସୂର୍ଯ୍ୟ ପାତ୍ର ପରବର୍ତ୍ତୀ ବିଧାନସଭାର ବାଚସ୍ପତି ହୋଇପାରନ୍ତି। ତାଙ୍କୁ ବାଚସ୍ପତି କରିବା ନେଇ ଦଳ ମଧ୍ୟରେ ସହମତି ହୋଇଛି। ଏଥିସହ ନବୀନ ନିବାସରୁ ତାଙ୍କୁ ଫୋନ୍‌ କଲ୍‌ ଯାଇଥିବା ସୂଚନା ମିଳିଛି। ଚଳିତ ଥର ସୂର୍ଯ୍ୟ ପାତ୍ର ଦିଗପହଣ୍ଡି ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ସେହିଭଳି ପ୍ରମିଳା ମଲିକ ଦଳର ଶାସକ ଦଳର ମୁଖ୍ୟ ସଚେତକ ହେବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବୁଧବାର ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ଶପଥ ଗ୍ରହଣ କରିବେ। ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ମଙ୍ଗଳବାର ସଂନ୍ଧ୍ୟାରେ ନବ ନିର୍ବାଚିତ କିଛି ବିଧାୟକଙ୍କ ପାଖକୁ ଫୋନ୍‌ କଲ୍‌ ଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ନିମାପଡ଼ା ବିଧାୟକ ସମୀର ଦାଶ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ଭଟଲୀ ବିଧାୟକ ସୁଶାନ୍ତ ସିଂ, ଭୁବନେଶ୍ୱର ଏକାମ୍ର କ୍ଷେତ୍ର ଅଶୋକ ପଣ୍ଡା ଓ ଟିଟଲାଗଡ଼ ବିଧାୟିକା ଟୁକୁନି ସାହୁ, ଝାରସୁଗୁଡ଼ା ବିଧାୟକ ନବ ଦାସ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ନିକଟକୁ ଫୋନ୍‌ କଲ୍‌ ଯାଇଥିବା ସୂଚନା ମିଳିଛି।