ଇସଲାମାବାଦ୍,୨୬।୧୧: ପାକିସ୍ତାନ ସୈନ୍ୟ ବିଭାଗ ମୁଖ୍ୟ ଜେନେରାଲ କମର ଜାବେଦ୍ ବାଜଓ୍ବାଙ୍କୁ ମଙ୍ଗଳବାର ପାକିସ୍ତାନ ସୁପ୍ରିମ୍କୋର୍ଟ ରାୟ ନେଇ ବଡ଼ ଝଟ୍କା ଲାଗିଛି। ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ତେବେ କୋର୍ଟ ଏହାର ବିଚାର କରି ଏଥିରେ ବାଧା ଦେଇଛନ୍ତି। କାର୍ଯ୍ୟକାଳ ବୃଦ୍ଧି ଅଧିସୂଚନାକୁ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ବାଜଓ୍ବା ୨୦୧୯ ନଭେମ୍ବର ୨୯ରେ ଅବସରରେ ନେବାକଥା। ମାତ୍ର ଇମ୍ରାନ୍ ସରକାର ଅଧିସୂଚନା ଜାରି କରି ତାଙ୍କ କାର୍ଯ୍ୟକାଳକୁ ୨୦୨୨ ନଭେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦେଇଥିଲେ। ଏହା ବିରୋଧରେ କୋର୍ଟରେ ଏକ ଆବେଦନ କରାଯାଇଥିଲା। କୋର୍ଟ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ପାଖରେ ଅଧିସୂଚନା ଜାରି କରିବାର କ୍ଷମତା ରହିଛି। ପ୍ରଧାନମନ୍ତ୍ରୀଙ୍କର ଏହି କ୍ଷମତା ନାହିଁ। ତେବେ ଏହାକୁ ଇମ୍ରାନ ରାଷ୍ଟ୍ରପତି ଆରଫି ଅଲଓ୍ବିଙ୍କ ପାଖକୁ ପଠାଇଥିଲେ। ସେ ଏହାକୁ ଅନୁମୋଦନ କରିଥିଲେ। କୋର୍ଟ ପକ୍ଷରୁ କୁହାଯାଇଛି ଯେ, ନିୟମ ଅନୁସାରେ ୨୮ ନଭେମ୍ବର ପରେ ଏହି ଅଧିସୂଚନା ଜାରି ହେବା କଥା। କିନ୍ତୁ ଏହା ପୂର୍ବରୁ ନୁହେଁ। ଦେଶର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଆଟର୍ନି ଜେନେରାଲ କୋର୍ଟରେ କହିଛନ୍ତି।