ବାଜି ମାରିଲେ ଶାହ, ଚାହିଁ ରହିଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୧୦: ହରିୟାଣାରେ ହୋଇଥିବା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳି ନ ଥିବା ବେଳେ ଭାଜପା ଏବେ ସରକାର ଗଢିବାକୁ ଯାଉଛି। ଅସଲ କଥା ହେଲା ଏଥର ଭୁପିନ୍ଦର ସିଂ ହୁଡ୍ଡାଙ୍କ ନେତୃତ୍ୱରେ କଂଗ୍ରେସ ହରିୟାଣାରେ ଭଲ ପ୍ରଦର୍ଶନ କରି ୩୦ ଆସନରେ ବିଜୟ ଲାଭ କରିଥିଲା। ଆଉ ଜେଜେପି ୧୦ଟି ଆସନ ହାତେଇଥିବା ବେଳେ ସ୍ବାଧୀନଙ୍କୁ ୯ଟି ଆସନ ମିଳିଥିଲା। ଆଉ କଂଗ୍ରେସ ଭାବିଥିଲା ଜେଜେପି ଓ ସ୍ବାଧିନ ପ୍ରାର୍ଥୀଙ୍କୁ ନେଇ ଏଥର ହରିୟାଣାରେ ସରକାର ଗଠନ କରିବ। କାରଣ ଜେଜେପି ଭାଜପାକୁ ସମର୍ଥନ ଦେବ ନାହିଁ ବୋଲି ଆରମ୍ଭରୁ କହି ରଖିଥିଲା। ସବୁଠାରୁ ବଡ କଥା ହେଲା ଜେଜେପିକୁ ଜାଟ୍‌ର ଦଳ କୁହାଯାଉଥିବା ବେଳେ ଭାଜପା ଜାଟ୍‌ ବିରୋଧ ରାଜନୀତି କରୁଥିଲା। ଶେଷରେ କିନ୍ତୁ ସବୁ ହୋଇଗଲା ଓଲଟ ପାଲଟ। କାରଣ ନିର୍ବାଚନର ଚାଣକ୍ୟ ତଥା କୁଶଳୀ ରଣନୀତିକାର କୁହାଯାଉଥିବା ଭାଜପା ଅଧ୍ୟକ୍ଷ ଅମିତ ଶାହ ଏହାକୁ ନିମିଷକରେ ବଦଳାଇ ଦେଲେ। କୌଶଳ କ୍ରମେ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌତାଲାଙ୍କ ସହ କଥାହୋଇ ନିଜ ଆଡକୁ ନେଇ ଆସିବା ଓ ଏବେ ହରିୟାଣାରେ ସରକାର ଗଢିବାକୁ ପ୍ରସ୍ତୁତ ହୋଇଗଲେ। ଶନିବାର ଭାଜପା ଓ ଜେଜେପି ମେଣ୍ଟ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ସାକ୍ଷାତ୍‌ କରିବେ। ଏସବୁ ପରେ ଜେଜେପି ଓ ସ୍ବାଧିନଙ୍କୁ ନେଇ ସରକାର ଗଠନ କରିବାକୁ ଚିନ୍ତା କରୁଥିବା କଂଗ୍ରେସ କେବଳ ଚାହିଁ ରହିବା ବ୍ୟତିତ ଅନ୍ୟ କିଛି କରିବାର ଉପାୟ ନ ଥିଲା।

Share