Categories: ରାଜ୍ୟ

ବାଟବଣା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା: ୨ ମାସ ହେଲାଣି ବନ୍ଦ ରହିଛି କାର୍ଯ୍ୟାଳୟ

ନୟାଗଡ଼ ଅଫିସ,୧୨।୭- ନୟାଗଡ଼ ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବାଟବଣା ହୋଇପଡ଼ିଥିବା ଅଭିଯୋଗ ହେଉଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭକରି ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ଥିବା କାର୍ଯ୍ୟାଳୟରେ ତାଲା ପଡ଼ିଛି। ଏ ନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଯେ, ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା ( ଆର୍‌ଏସ୍‌ବିୱାଇ) ପକ୍ଷରୁ ସରକାରୀ ମେଡ଼ିକାଲ୍‌ ପରିସରରେ ଏକ କାର୍ଯ୍ୟାଳୟ ଖୋଲାଯାଇ ସେଠାରେ ଡାଟା ଏଣ୍ଟ୍ରି ଅପରେଟର( ଡିଇଓ)ମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏମାନେ ଆରଏସ୍‌ବିୱାଇ ଓ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଡ ଥିବା ରୋଗୀମାନଙ୍କୁ ସହାୟତା କରିବା ପାଇଁ ନିଯୁକ୍ତ ହୋଇଥିଲେ। ପରେ ଅଗଷ୍ଟ ୧୫ଠାରୁ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହେଲା। ନିଯୁକ୍ତ ପାଇଥିବା ଡିଇଓମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟରେ ବୁଝିଥିଲେ। ସ୍ବାସ୍ଥ୍ୟ କାର୍ଡ଼ ଥିବା ରୋଗୀମାନେ ମେଡ଼ିକାଲ୍‌ରେ ଭର୍ତ୍ତି ହେବା ପରେ ମେଡ଼ିକାଲ ବାହାରୁ ମିଳୁଥିବା ରୋଗୀମାନଙ୍କ କାର୍ଡ଼ ଏଣ୍ଟ୍ରି କରାଯିବା ପରେ ରୋଗୀମାନେ ସେମାନଙ୍କ ପାଇଁ ଥିବା ସମସ୍ତ ପ୍ରାପ୍ୟ ପାଉଥିଲେ। ଆରଏସ୍‌ବିୱାଇ ବନ୍ଦ କରି କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କଲେ। ହେଲେ ଓଡ଼ିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହୋଇଥିବାରୁ ରାଜ୍ୟରେ ଏହାକୁ ଲାଗୁ କରାଗଲା ନାହିଁ। ଫଳରେ ଏହିଭଳି ଅବ୍ୟବସ୍ଥା ହୋଇଥିବା ଦେଖିବାକୁ ମିଳିଛି। ମେ ୨୪ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରଏସ୍‌ବିୱାଇ ଅନ୍ତର୍ଗତ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଚାହିଁଲେ ରଖି ପାରିବେ ନ ହେଲେ ନାହିଁ ବୋଲି ଅର୍ଡ଼ର ଆସିଥିଲା। ଫଳରେ ୩୧ ମେରେ ଜିଲାରେ କାମ କରୁଥିବା ୧୪ ଜଣ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ସେମାନେ ହେଲେ ଜିଲାରେ ପ୍ରତି ବ୍ଲକରେ ଥିବା ଜଣେ ଜଣେ ଡିଇଓ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ୪ ଜଣ ଡିଇଓ , ଚାନ୍ଦପୁର ମେଡ଼ିକାଲ୍‌ରେ ଥିବା ଜଣେ ଡିଇଓ ଏବଂ ଜଣେ ଆଟେଣ୍ଟାଣ୍ଡ । ଏ ନେଇ ୧୪ ଜଣ କର୍ମଚାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ୨ ମାସ ହେଲାଣି ଉକ୍ତ କାର୍ଯ୍ୟାଳୟ ବନ୍ଦ ହୋଇ ପଡ଼ିଥିବା ଯୋଗୁଁ ଅଧିକାଂଶ ରୋଗୀଙ୍କୁ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରାଯାଉଥିବା ଦେଖିବାକୁ ମିଳୁଛି।
ଯେ, ବିଜୁ ସ୍ବାସ୍ଥ୍ୟ କଳ୍ୟାଣ ଯୋଜନାରେ ରୋଗୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟରେ ମାଗଣାରେ ଚିକିତ୍ସା ପାଇପାରିବେ। ସେହିଭଳି ବାର୍ଷିକ ପରିବାର ପିଛା ୫ ଲକ୍ଷ ଓ ମହିଳା ସଦସ୍ୟମାନଙ୍କ ପାଇଁ ୭ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ପାଇପାରିବେ। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି ଆଦେଶ ଆସିବା ପରେ ଆମେ ଏହାକୁ ବନ୍ଦ କରିଦେଇଛୁ। ଆୟୁଷ୍ମାନ ଯୋଜନା ଚାଲୁ ହେଲେ ହୁଏତ ଏହା ଖୋଲାଯାଇପାରେ ବୋଲି ପ୍ରକାଶ କରିଥିଲେ। ଓଡ଼ିଶାର ଅଧିକାଂଶ ଜିଲାରେ ଏହି କାର୍ଯ୍ୟାଳୟ ବନ୍ଦ ହୋଇଯାଇଥିବା ନେଇ ସେ ସୂଚନା ଦେଇଥିଲେ।

Share