ବାଟାଗୁଡାକୁ ନିଶାମୁକ୍ତ ପାଇଁ ଏକାଠି ହେଲେ ମହିଳା

ଫୁଲବାଣୀ ଅଫିସ,୧୯ା୧୦: କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ବାଟାଗୁଡା ପଞ୍ଚାୟତର ମହିଳାମାନେ ଏକତ୍ରିତ ହୋଇଛନ୍ତି। ପଞ୍ଚାାୟତରେ ଆଉ ମଦ ପୁରାଇ ଦେବେ ନାହିଁ। କେହି ଚୋରାରେ ବିକିଲେ ତାଙ୍କୁ ଗ୍ରାମରେ କୌଣସି ପ୍ରକାର ସହଯୋଗ କରାଯିବ ନାହିଁ। ପଞ୍ଚାୟତ ବୈଠକ ନିଷ୍ପତି ଅନୁସାରେ ମଦ ବିକ୍ରି ବନ୍ଦ ନ ହେବାଯାଏ ତାଙ୍କୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚତ୍ତ କରାଯିବ। କୌଣସି ପରିସ୍ଥିତିରେ ମଦକୁ ଆଉ ବରଦାସ୍ତ କରାଯିବ ନାହିଁ। ଏଭଳି ନିଷ୍ପତି ନେଇ ପଞ୍ଚାୟତର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟ ଏବଂ ମହିଳାମାନେ ଶନିବାର ଜିଲାପାଳଙ୍କୁ ଭେଟିଛନ୍ତି। ସେମାନଙ୍କ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମଦ ମୁକ୍ତ କରିବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଆମ ପଞ୍ଚାୟତର ସମସ୍ତ ଗ୍ରାମରେ ଦିନକୁ ଦିନ ମଦ କାରବାର ବଢ଼ି ଚାଲିଛି। ଅଭିଯୋଗ କଲେ ପୋଲିସ କି ଅବକାରୀ ବିଭାଗ କେହି ଶୁଣୁ ନାହାନ୍ତି। ସେମାନଙ୍କ ଠାରୁ ଟଙ୍କା ନେଇ ଚୁପ୍‌ ରହୁଛନ୍ତି। ମଦପିଇ ପୁରୁଷମାନେ କାମ ଧନ୍ଦା କରୁ ନାହାନ୍ତି, ଯୁବକ ବିପଥଗାମୀ ହେଲେଣି। ତେଣୁ ଆମେ ସମସ୍ତେ ଏକ ବୈଠକରେ ବସି ପଞ୍ଚାୟତକୁ ନିଶାମୁକ୍ତ କରିବାକୁ ନିଷ୍ପତି ନେଇଛୁ। ଯେଉଁ ବ୍ୟକ୍ତି ଗ୍ରାମରେ ମଦ କାରବାର କରିବେ ସେମାନଙ୍କ ରାଶନ କାର୍ଡ ଏବଂ ପରିବାରରେ କେହି ଭତ୍ତା ପାଉଥିଲେ ତାହାକୁ ବନ୍ଦ କରାଯିବାକୁ ସମସ୍ତେ ସମ୍ମତି ଜଣାଇଛନ୍ତି ବୋଲି ଜିଲାପାଳଙ୍କୁ ଭେଟିବାକୁ ଆସିଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସସ୍ମିତା ନାୟକ, ବାଲମତୀ ମଳିକ, ନମିତା ମଳିକ, ଶାସନି ମଳିକ, ସିରନ୍ତି ମଳିକ ପ୍ରମୁଖ ପ୍ରକାଶ କରିଛନ୍ତି। ଜିଲାପାଳ ଗ୍ରାମାଞ୍ଚଳରେ ଯେପରି ମଦର ବିକ୍ରୀ ନ ହେବ ସେଥିପ୍ରତି ନଜର ଦେବା ଏବଂ ଯେଉଁମାନେ ବିକ୍ରି କରୁଥିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Share