ବାଟୋଇଙ୍କୁ ଆଇସୋଲେଶନରେ ରଖିଲା ପ୍ରଶାସନ

ବିଜେପୁର,୧୬।୪(ଡି.ଏନ.ଏ.)-କରୋନା ପାଇଁ ଲକ୍‌ ଡାଉନ ଜାରି ରହିଛି । ପୋଲିସ ପ୍ରଶାସନର କଟକଣା ଯୋଗୁଁ ପୂର୍ବାହ୍ନ ୧୦ଟା ପରେ ଦୋକାନ ବଜାର ସମେତ ରାସ୍ତା ଶୂନଶାନ ହୋଇଯାଉଛି । ଭୋକିଲା ପେଟକୁ ଦାନା ମୁଠାଏ ଯୋଗାଡ କରିବାକୁ ନିରାଶ୍ରିତ ଲୋକ ଏବେ ମଧ୍ୟ ଏଠି ସେଠି ଘୁରି ବୁଲୁଛନ୍ତି । ବରଗଡ ଜିଲା ବିଜେପୁର-ପଦ୍ମପୁର ରାସ୍ତାରେ ଯାଉଥିବା ଏଭଳି ଜଣେ ନିରାଶ୍ରିତ ପଥିକଙ୍କୁ ଗୁରୁବାର ମଧ୍ୟାହ୍ନରେ ପ୍ରଶାସନ ଉଦ୍ଧାର କରିଛି । ସେ ହେଲେ ବଲାଙ୍ଗୀର ଜିଲା ଅନ୍ତର୍ଗତ ରାଜ ଆଗଲପୁର ବ୍ଲକର ନଅଗାଁର ସୁରୁ ସାହୁ (୫୦) । ମିଳିଥିବା ସୂଚନା ମୁତାବକ ସୁରୁ ସାହୁ ସମ୍ବଲପୁର ଗୋଶାଳାର ଏକ ହୋଟେଲରେ କାମ କରୁଥିଲେ । ହେଲେ ଲକ୍‌ ଡାଉନ ହେବା ଯୋଗୁ ହୋଟେଲ ବନ୍ଦ ହୋଇ ଯାଇଛି। ଏଣୁ ସେ ବରଗଡରୁ ବାହାରି ବିଜେପୁର ବାଟ ଦେଇ ନଅଗାଁ ଫେରୁଥିଲେ। ଏହା ଜାଣିବା ପରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଭାଜପା ନେତା ସନତ କୁମାର ଗଡତିଆ ମଧ୍ୟ ବନ୍ଦୋବସ୍ତ କରିବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏଣୁ ତହସିଲଦାର କୁଳମଣୀ ରଣବିଡା, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୁକ୍ମଣ ମେହେର କେଉଁଟିପାଲି ପହଞ୍ଚତ୍ଥିଲେ । ଶେଷରେ ତାଙ୍କୁ ଏନଏସି ପକ୍ଷରୁ ଗାଡିରେ ନିଆଯାଇ ହାଇସ୍କୁଲରେ ଖୋଲା ଯାଇଥିବା ଆଇସୋଲେଶନ କକ୍ଷରେ ରଖା ଯାଇଛି। ତାଙ୍କ ଖାଦ୍ୟପେୟ ବନ୍ଦୋବସ୍ତ କରିବା ସହ ତାଙ୍କ ତାଙ୍କର ଘରକୁ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।