ବାଟ ଭୁଲି ୩୦ କିଲୋମିଟର ଚାଲିଆସିଥିଲେ ଦୁଇ ଶିଶୁପୁତ୍ର: ଉଦ୍ଧାର କଲା ଚାଇଲ୍ଡଲାଇନ୍‌, ପରିବାରବର୍ଗଙ୍କୁ ହସ୍ତାନ୍ତର

ଆନନ୍ଦପୁର,୧୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ବେଲବାହାଳି ଗ୍ରାମରୁ ଦୁଇ ଶିଶୁଙ୍କୁ ଆନନ୍ଦପୁର ଚାଇଲ୍ଡଲାଇନ୍‌ ସଦସ୍ୟମାନେ ଉଦ୍ଧାର କରି ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ଦୁଇ ଶିଶୁପୁତ୍ର ଆନନ୍ଦପୁର ଥାନା ଗୟଳମୁଣ୍ଡା ପଞ୍ଚାୟତ ପୁତୁଝରୀ ଗ୍ରାମର ବୋଲି ଜଣାପଡ଼ିଛି। ଦୁଇ ଶିଶୁପୁତ୍ରଙ୍କ ବାପା ଗୋଲୁ ପୂର୍ତ୍ତି ଯାଜପୁର ଅଞ୍ଚଳରେ ରହି କାମ କରୁଥିବାବେଳେ ଶିଶୁ ଦ୍ୱୟ ତାଙ୍କ ସାଙ୍ଗରେ ରହି ଆସୁଥିଲେ।
ସୂଚନା ଅନୁଯାୟୀ, ବାପା କାମକୁ ଯାଇଥିବାବେଳେ ଦୀର୍ଘ ୧୨ଦିନ ହେଲା ଶିଶୁଦ୍ୱୟ ନିଖୋଜ ରହିଥିଲେ। ତେବେ ଶିଶୁ ଦ୍ୱୟ ଦୀର୍ଘ ୩୦ କିଲୋମିଟର ଚାଲିଚାଲି ଆସି ବୁଧବାର ରାତିରେ ଘସିପୁରା ଥାନା ଅନ୍ତର୍ଗତ ବେଲବାହାଳି ଗ୍ରାମରେ ପହଞ୍ଚିଥିଲେ। ବେଲବାହାଳି ଗ୍ରାମରେ କୀର୍ତ୍ତନ ହେଉଥିବା ଦେଖି ଶିଶୁପୁତ୍ର ଦ୍ୱୟ ସେଠାରେ ଅଟକି ଯାଇଥିଲେ। ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଚାଇଲ୍ଡଲାଇନ୍‌କୁ ଯୋଗାଯୋଗ କରିବା ସହିତ ଘସିପୁରା ଥାନାକୁ ସୂଚନା ଦେଇଥିଲେ। ସୂଚନାପାଇ ଆନନ୍ଦପୁର ଚାଇଲ୍ଡଲାଇନ ସଦସ୍ୟ ଆଇନଜୀବୀ ଭାଗୀରଥି ଦାଶ, ହିମାଂଶୁ କୁମାର ରାମ, ଆନନ୍ଦ ଚନ୍ଦ୍ର ସାହୁ ବେଲବାହାଳି ଗ୍ରାମରେ ପହଞ୍ଚି ବୁଧବାର ବିଳମ୍ବିତ ରାତିରେ ଶିଶୁଦ୍ୱୟଙ୍କୁ ଉଦ୍ଧାର କରିଥିଲେ। ପରେ ଶିଶୁ ଦ୍ୱୟଙ୍କର ପ୍ରାଥମିକ ଚିକିତ୍ସା କରାଯିବା ସହିତ ପରିବାରବର୍ଗ ସମ୍ପର୍କରେ ଜାଣି ସୂଚନା ଦେଇଥିଲେ। ଶିଶୁ ଦ୍ୱୟଙ୍କ ବାପା, ମାଆ ଓ ଦାଦା ଗୁରୁବାର ଆନନ୍ଦପୁର ଚାଇଲ୍ଡଲାଇନ୍‌ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ଦୁଇପୁତ୍ରଙ୍କୁ ଗ୍ରହଣ କରିଥିବା ସୂଚନା ମିଳିଛି।

Share