ବାଡ଼ ଦେଇ ରାସ୍ତା ଅବରୋଧ, ଜିଲାପାଳଙ୍କୁ ଅଭିଯୋଗ

ବଇଣ୍ଡା, ୨୮ା୩(ଡି.ଏନ.ଏ.)- ଅନୁଗୋଳ ଜିଲାରେ ଲକଡାଉନ ଜାରି ଥିବାବେଳେ ବିଭିନ୍ନ ସ୍ଥାନରେ ଲୋକେ ଗାଁକୁ ଯିବାଆସିବା ରାସ୍ତାରେ ବାଡ଼ ଦେଇ ବାଟ ଅବରୋଧ କରିଥିବା ଅଭିଯୋଗ ହୋଇଛି । ଏଥିଯେୋଗୁ ସ୍ଥାନୀୟ ଲୋକେ ଜରୁରୀ କାମରେ ମଧ୍ୟ ବାହାରକୁ ଯାଇପାରୁ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଶେଷ କରି କିଶୋରନଗର ଓ ଆଠମଲ୍ଲିକ ବ୍ଲକର ବିଭିନ୍ନ ରାସ୍ତା ଅବରୋଧ କରାଯାଇଥିବା ନେଇ ଅଞ୍ଚଳବାସୀ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ହଣ୍ଡପା ଥାନା ରଘୁନାଥପୁର, ବିଡିସିଙ୍ଗ, ଧଉରାଗୋଠ, ବଡହୁଲା, ଠାକୁରଗଡ ଥାନା ରାଣୀବନ୍ଧ, ତିଳେଶ୍ୱର ଆଦି ଗ୍ରାମଗୁଡିକରେ ପୂର୍ତ୍ତବିଭାଗ ରାସ୍ତାକୁ ବାଉଁଶ ବନ୍ଧାଯାଇ ଅବରୋଧ କରାଯାଇଛି। କେତେଜଣ ଯୁବକ ସେଠାରେ ଜଗି ରହିଛନ୍ତି। କୌଣସି ଯାନକୁ ସେମାନେ ଛାଡୁ ନ ଥିବାବେଳେ କେତେଜଣ ଲୋକଙ୍କଠାରୁ ଚାନ୍ଦା ଆଦାୟ କରୁଥିବା ଲୋକେ ପ୍ରକାଶ କରିଛନ୍ତି । ଫଳରେ ଜରୁରୀ କାମରେ ଯାଉଥିବା  ଲୋକେ ମଧ୍ୟ ଏଥିପାଇଁ ହଇରାଣ ହେଉଛନ୍ତି ।ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବାକୁ ବଇଣ୍ଡା ସଚେତନ ନାଗରିକ ଯୁବକ ସଂଘ ପକ୍ଷରୁ ଶନିବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରାଯାଇଛି । ଏଥିସହ  ବଇଣ୍ଡା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବଇଣ୍ଡା ସାପ୍ତାହିକ ହାଟ, ରେଳଷ୍ଟେଶନଠାରେ ରହୁଥିବା ୨୫ ଯାଯାବର ପରିବାରକୁ ଖାଉଟି ସାମଗ୍ରୀ ବଣ୍ଟନ କରାଯାଇଛି । ମନୋରଞ୍ଜନ ରାଉତ, ଅର୍ଜୁନ କୁମାର ସାହୁ, ବୃନ୍ଦାବନ ପ୍ରଧାନ ଓ ହଣ୍ଡପା ଥାନା ଏଏସଆଇ ଆର. ବିଶ୍ୱାଳ ଏହି ସାମଗ୍ରୀ ବଣ୍ଟନ କରିଛନ୍ତି ।
ଏ ସମ୍ପର୍କରେ କିଶୋରନଗର ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁ କହିଛନ୍ତି, ସର୍ବସାଧାରଣ ରାସ୍ତାରେ ବାଡ଼ ଦେବାକୁ କାହାରିକୁ ଅଧତ୍କାର ଦିଆଯାଇନାହିଁ । ଯିଏ ଏପରି କରିଛନ୍ତି ତାଙ୍କ ବିରୋଧରେ ମାମଲା ରୁଜୁ ସହ ସେମାନଙ୍କୁ ଗିରଫ କରାଯିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯିବ।