ବାଣୀବିହାରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ: ଅର୍ଥଶାସ୍ତ୍ର ଓ ନୀତିଶାସ୍ତ୍ର ମଧ୍ୟରେ ସମନ୍ବୟ ରହିବା ଜରୁରୀ: ରାଜ୍ୟପାଳ

ଭୁବନେଶ୍ୱର, ୩ା୧୦(ବ୍ୟୁରୋ): ଅର୍ଥଶାସ୍ତ୍ର ଓ ନୀତିଶାସ୍ତ୍ର ମଧ୍ୟରେ ସମନ୍ବୟ ରହିଲେ ଅନେକ ସାମାଜିକ ବୈଷମ୍ୟ ଓ ଅସନ୍ତୁଳନ ଦୂର ହୋଇପାରିବ। ମହାତ୍ମା ଗାନ୍ଧୀ ଏହାର ପ୍ରୟୋଗାତ୍ମକ ଦିଗ ସମ୍ପର୍କରେ ନିଜର ମତ ଓ ମନ୍ତବ୍ୟ ସ୍ପଷ୍ଟ ଭାବରେ ଉପସ୍ଥାପନ କରିଛନ୍ତି। ପ୍ରଗତି ପ୍ରକ୍ରିୟାରେ ଗାନ୍ଧୀ ବିଚାରଧାରାର ପ୍ରୟୋଗ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ବୁଧବାର ଉତ୍କଳ ବିଶ୍ୱବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ମେମୋରିଆଲ୍‌ ପାର୍କକୁ ଉଦ୍‌ଘାଟନ କରିବା ସହ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି ରାଜ୍ୟପାଳ କହିଥିଲେ ଯେ, ମହାତ୍ମା ଗାନ୍ଧୀ ହେଉଛନ୍ତି ପୃଥିବୀର ସକଳ ସମସ୍ୟାର ସମାଧାନର ଭାରତୀୟ ସୂତ୍ର। ସେ ମଣିଷକୁ ଭଲ ଭାବରେ ଅଧ୍ୟୟନ ଓ ଅନୁଧ୍ୟାନ କରିଥିଲେ। ଭାରତୀୟ ଆଧ୍ୟାତ୍ମିକତା ଓ ଆଦର୍ଶବୋଧ ତାଙ୍କ ଚିନ୍ତା ଓ ଚେତନାର ମୂଳ ଆଧାର ଥିଲା। ଦୟା, ପ୍ରେମ, କରୁଣା ଓ ଏକାତ୍ମବୋଧ ଗାନ୍ଧିଜୀଙ୍କ ବୈଚାରିକ ସିଦ୍ଧାନ୍ତ ଥିଲା ଏବଂ ଏହାକୁ ସେ ନିଜ ଜୀବନରେ ପ୍ରୟୋଗ କରିଥିଲେ। ଆଚରଣ ଓ ଉଚ୍ଚାରଣରେ ସମାନତା ହିଁ ଗାନ୍ଧିଜୀଙ୍କୁ ମହାତ୍ମା କରିଛି ବୋଲି ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ଗାନ୍ଧୀବାଦର ଚିର ପ୍ରାସଙ୍ଗିକତା ସମ୍ପର୍କରେ କହିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ଗାନ୍ଧିଜୀଙ୍କ ଦର୍ଶନର ସର୍ବଜନୀନତା ଓ ସାର୍ବକାଳୀନତା ବିଷୟରେ କହିଥିଲେ। ପିଜି କାଉନ୍‌ସିଲ ଅଧ୍ୟକ୍ଷ ସବିତା ଆଚାର୍ଯ୍ୟ, କୁଳସଚିବ ଦୟାନିଧି ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ମିତାଲି ଚିନ୍ନାରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share