ବାଣ୍ଟିଲେ ବଢ଼େ ଖୁସି

ଧନସମ୍ପତ୍ତି ଥାଇ ମଧ୍ୟ କିଛି ବ୍ୟକ୍ତି ଖୁସି ନ ଥାନ୍ତି। ତେବେ ପ୍ରକୃତ ଖୁସି ମିଳିଥାଏ ଅନ୍ୟ ସହ ଖୁସି ବାଣ୍ଟିବାରେ। ଏଭଳି ଅନେକ ରାସ୍ତା ଅଛି, ଯାହାକୁ ନିଜ ଜୀବନରେ ସାମିଲ କରି ଆପଣ ପ୍ରକୃତ ଖୁସି ପାଇପାରିବେ।
ଯଦି କାହାଠାରେ କୌଣସି ଭଲ ଗୁଣ ଦେଖନ୍ତି ତେବେ ତାଙ୍କୁ ମନଖୋଲି ପ୍ରଶଂସା କରନ୍ତୁ। ପ୍ରଶଂସା ଶୁଣି ତାଙ୍କ ମୁହଁରେ ଫୁଟିଉଠୁଥିବା ଖୁସି ନିଶ୍ଚିତ ଭାବେ ଆପଣଙ୍କୁ ମଧ୍ୟ ଖୁସି କରିଦେବ।
କାହାଠାରୁ ଯଦି କିଛି ସାହାଯ୍ୟ ପାଉଛନ୍ତି ତେବେ ତାଙ୍କୁ ଧନ୍ୟବାଦ ଦେବାକୁ ଯେପରି ନ ଭୁଲନ୍ତି।
ଘର କାମରେ ନିଜ ଜୀବନସାଥୀଙ୍କୁ ସାହାଯ୍ୟ କରନ୍ତୁ। ସପ୍ତାହର ଗୋଟିଏ ଦିନ ତାଙ୍କୁ ଘର କାମରୁ ବିରତି ଦେଇ ସବୁ କାମ ନିଜେ କରନ୍ତୁ, ଦେଖିବେ ଏହା ତାଙ୍କୁ ଖୁସି ଦେବା ସହ ଆପଣଙ୍କୁ ମଧ୍ୟ ସନ୍ତୋଷ ପ୍ରଦାନ କରିବ।
କର୍ମକ୍ଷେତ୍ରରେ ଅଧସ୍ଥନ କର୍ମଚାରୀଙ୍କୁ ତାଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରନ୍ତୁ। ତାଙ୍କ ମୁହଁର ହସ ଆପଣଙ୍କୁ ନିଶ୍ଚୟ ଖୁସି କରିଦେବ।
ବିଶେଷ ଅବସରରେ ତ ସମସ୍ତେ ଉପହାର ଦେଇଥାନ୍ତି। କେବେ ବିନା କୌଣସି ଅବସରରେ ନିଜ ପ୍ରିୟଜନଙ୍କୁ ଛୋଟ ଛୋଟ ଉପହାର ଦେଇ ଦେଖନ୍ତୁ ଏହା ସେମାନଙ୍କୁ ଖୁସି କରାଇବା ସହ ଆପଣଙ୍କୁ ମଧ୍ୟ ଖୁସି ପ୍ରଦାନ କରିବ।
ଘରେ କିମ୍ବା ଅଫିସରେ ଆପଣଙ୍କ ସହ ଯଦି କୌଣସି ବ୍ୟକ୍ତି ଭିତରକୁ ବା ବାହାରକୁ ଯା’ନ୍ତି, ତେବେ ତାଙ୍କ ପାଇଁ ବି ଗେଟ୍‌ଟି ଖୋଲିଦିଅନ୍ତୁ। ଦେଖିବେ ଆପଣଙ୍କର ଏହି ଛୋଟିଆ ଇଙ୍ଗିତ ତାଙ୍କୁ ଖୁସି ଦେବ।
ଖାଦ୍ୟକୁ ସବୁବେଳେ ବାଣ୍ଟି ଖା’ନ୍ତୁ। ଆପଣଙ୍କ ନିକଟରେ ଥିବା ଖାଦ୍ୟକୁ ଆଖପାଖରେ ଥିବା ଲୋକଙ୍କ ସହ ବାଣ୍ଟି ଖା’ନ୍ତୁ ଦେଖିବେ ଖାଇବାର ମଜା ଦ୍ୱିଗୁଣିତ ହୋଇଯିବ।