ବାଣ ପ୍ରସ୍ତୁତ ବେଳେ ଅଘଟଣ: ନିଆଁ ଲାଗି ୨ ଗୁରୁତର, ବାଣ ପ୍ରସ୍ତୁତ ଘର ସିଲ୍‌ କଲା ପୋଲିସ

ଚାନ୍ଦବାଲି,୧୭।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ମତୋ ପଞ୍ଚାୟତର ଦକ୍ଷିଣ ସାହି ଗ୍ରାମରେ ବାଣ ପ୍ରସ୍ତୁତ ବେଳେ ସୋମବାର ସନ୍ଧ୍ୟାରେ ମଶା ଧୂପରୁ ନିଆଁ ଲାଗି ୨ ଶିଶୁ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସୁମନ୍ତ ବେହେରାଙ୍କ ପୁଅ ମନୋଜ(୪) ଓ ଅର୍ଜୁନ ସାହୁଙ୍କ ଝିଅ ଶୁଭଶ୍ରୀ(୫) । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ତିହିଡ଼ି ପରେ ଭଦ୍ରକ ଓ କଟକ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଶରୀରର ବିଭିନ୍ନ ଅଂଶ ପୋଡି ଯାଇଛି । ବାଣ ସାମଗ୍ରୀ ପ୍ରସ୍ତୁତ ସମୟରେ ସେମାନେ ଦେଖୁଥିବା ବେଳେ ମଶା ଧୂପରୁ ନିଆଁ ଲାଗି ଯାଇଥିଲା। ଖବର ପାଇ ମତୋ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଣ ପ୍ରସ୍ତୁତ ହେଉଥିବା ଘରକୁ ସିଲ୍‌ କରି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ସାହି ଗ୍ରାମରେ କେତେକ ଅଣପଞ୍ଜୀକୃତ ବାଣ କାରିଗର ଅଛନ୍ତି । ସେମାନେ ପର୍ବପର୍ବାଣିରେ ବେଆଇନ ଭାବରେ ବାଣ ତିଆରି କରି ସ୍ଥାନୀୟ ବଜାରରେ ବିକ୍ରି କରିଥାଆନ୍ତି ।