Categories: ଭଦ୍ରକ

ବାତିଲ୍‌ ହେଲା ଫେରିଘାଟ ନିଲାମ

ଚାନ୍ଦବାଲି, ୨୬।୧୧ (ଡି.ଏନ.ଏ.)- ଭଦ୍ରକ ଜିଲାର ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ସୀମା ଦେଇ ବହି ଯାଇଥିବା ମନ୍ତେଈ ନଦୀର ବାଲିଆପାଳ ଫେରିଘାଟ ନିଲାମକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏକମାତ୍ର ବିଡର ଉପସ୍ଥିତ କାରଣରୁ ଚାନ୍ଦବାଲି ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ଏହାର ନିଲାମକୁ ବାତିଲ କରାଯାଇଛି।
ପ୍ରକାଶ ଯେ, ଏହି ଘାଟକୁ ବର୍ଷେ ଲେଖାଏ ପାଳି କରି ଚାନ୍ଦବାଲି ଓ ବାସୁଦେବପୁର ବ୍ଲକ ନିଲାମ ନେଇଥାନ୍ତି। ପ୍ରତିବର୍ଷ ଜାନୁୟାରୀ ମାସରେ ଏହା ନିଲାମ କରାଯାଏ। ୨୦୧୮ରେ ବାସୁଦେବପୁର ବ୍ଲକ ଦାୟିତ୍ୱରେ ଘାଟ ଥିଲା। ଚଳିତବର୍ଷ ଏହା ଚାନ୍ଦବାଲି ବ୍ଲକ ହାତରେ ରହିଛି। ୨୦୧୯ ବର୍ଷରେ ଚାନ୍ଦବାଲି ବ୍ଲକରେ ବାଲିଆପାଳ ଫେରିଘାଟ ପାଇଁ କେହି ବିଡର ନ ମିଳିବାରୁ ନିଲାମ ହୋଇପାରି ନ ଥିଲା। ପ୍ରଶାସନ ପକ୍ଷରୁ ବଜରାପୁର ପଞ୍ଚାୟତ ଅଧିକାରୀଙ୍କୁ ଏହାର ଦାୟିତ୍ୱ ଦିଆଯାଇଥିଲା। ପଞ୍ଚାୟତ ଅଧିକାରୀ ୧୧ ମାସ ଫେରିଘାଟ ଚଳାଇବା ପରେ ନିଜର ଅକ୍ଷମତା ବିଡିଓଙ୍କୁ ଜଣାଇଥିଲେ। ମାତ୍ର ମାସକ ଲାଗି ବ୍ଲକ ପ୍ରଶାସନ ପକ୍ଷରୁ ୧ ଲକ୍ଷ ୩ ହଜାର ଟଙ୍କାରେ ନିଲାମ ପାଇଁ ବିଜ୍ଞାପନ ବାହାରିଥିଲା। ଅଧିକ ଦାମ୍‌ ଯୋଗୁ ବିଡରମାନେ ଏହି ନିଲାମରେ ଆଗ୍ରହ ଦେଖାଇ ନ ଥିବା ଆଲୋଚନା ହେଉଛି। ଯାହାଦ୍ୱାରା ଏକମାତ୍ର ବିଡର କାରଣରୁ ନିଲାମକୁ ବାତିଲ କରାଯାଇଛି। ତେବେ ୨୦୧୭ରେ ଘାଟ ନିଲାମର କିଛି ଅର୍ଥ ପଞ୍ଚାୟତ ଆୟରେ ଯୋଡ଼ା ନ ଯାଇ ହଡ଼ପ ହୋଇଥିବା ସୋମବାର ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ନିଲାମ ବାତିଲ କରି ବିଡିଓ ଶ୍ୟାମସୁନ୍ଦର ଟୁଡୁ ସମ୍ପୃକ୍ତ ପଞ୍ଚାୟତ ଅଧିକାରୀଙ୍କୁ ବାଲିଆପାଳ ଫେରିଘାଟ ଦାୟିତ୍ୱ ଦେଇଛନ୍ତି। ଏଥିସହ ମାସକର ଦୈନିକ ଆୟର ହିସାବ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।