ବାତିଲ ହେଲା ଗସ୍ତ, ୧୨ରେ ଓଡ଼ିଶା ଆସିବେନି ଶାହା

ଭୁବନେଶ୍ୱର,୪।୨(ବ୍ୟୁରୋ):  ଆସନ୍ତା ୧୨ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଥିବାବେଳେ ଏହା ବାତିଲ ହୋଇଯାଇଛି। କେଉଁ କାରଣରୁ ଶାହାଙ୍କ ଗସ୍ତକୁ ବାତିଲ କରାଗଲା ସେନେଇ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ। ତେବେ ତାଙ୍କର ଭବିଷ୍ୟତ ଗସ୍ତ ସମ୍ପର୍କରେ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ। ଚଳିତ ବର୍ଷ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକ ଓଡ଼ିଶାରେ ଅନୁଷ୍ଠିତ ହେବ ବୋଲି ଶୁଣିବାକୁ ମିଳୁଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥାଆନ୍ତା। ଉକ୍ତ ବୈଠକରେ ଅନ୍ୟ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଥାଆନ୍ତେ। ତେବେ ବୈଠକ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନ ଥିବାବେଳେ ଆଗକୁ କେବେ ହେବ ସେନେଇ ମଧ୍ୟ କିଛି ଜଣାପଡିନାହିଁ। ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବିରାଜ ହରିଚନ୍ଦନ ଗତ ରବିବାର ଆସନ୍ତା ୧୨ରେ ଶାହା ଓଡିଶା ଆସିବେ ବୋଲି ସୂଚନା ଦେଇଥିଲେ। ମାତ୍ର ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଏ ପର୍ଯ୍ୟନ୍ତ ଶାହାଙ୍କ କୌଣସି ଗସ୍ତ ସମ୍ପର୍କିତ ସୂଚନା ଆସି ନ ଥିବା କଥା କହିଥିଲେ। ଶାହା ଓଡ଼ିଶା ଆସିଥିଲେ ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ବୋଲି ମଧ୍ୟ ସମୀର କହିଥିଲେ। ମାତ୍ର କୌଣସି ଖବର ନିର୍ଦ୍ଦିଷ୍ଟଭାବେ ଆସି ନ ଥିବାବେଳେ ଶାହାଙ୍କ ଗସ୍ତ ବାତିଲ ହୋଇଥିବା ଜଣାପଡିଛି।

Share