ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର, ୫।୧୧(ବ୍ୟୁରୋ) : ଉତ୍ତର ଆଣ୍ଡାମାନରେ ସୃଷ୍ଟି ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି। ଏପରିକି ଉପକୂଳ ଓଡ଼ିଶାରେ ବାତ୍ୟା ମାଡ଼ ହେବ ବୋଲି ଖବର ପ୍ରକାଶ ପାଉଛି। ଏହାକୁ ନେଇ ସାଧାରଣ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ତେବେ ଓଡ଼ିଶାରେ ବାତ୍ୟାର ଆଶଙ୍କା ଏଯାଏ ସ୍ପଷ୍ଟ ହୋଇ ନାହିଁ। ତେଣୁ ଲୋକମାନେ ଏବେଠାରୁ ଆତଙ୍କିତ ହୁଅ ନାହିଁ। କୌଣସି ଗୁଜବରେ ବିଶ୍ୱାସ ନ କରି ପାଣିପାଗ ବିଭାଗର ଆକଳନ ଉପରେ ବିଶ୍ୱାସ କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗଣମାଧ୍ୟମକୁ କହିଛନ୍ତି।
ଏ ନେଇ ଜେନା ବିଭିନ୍ନ ଜିଲାପାଳଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ଜିଲାମାଳମାନଙ୍କ ପାଖକୁ ଏସ୍‌ଆର୍‌ସି ଦେଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଉତ୍ତର ଆଣ୍ଡାମାନରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ତାହା ଏବେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏବେ ଏହା ପାରାଦୀପଠାରୁ ୯୫୦ କିମି ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଡିପ୍‌ ଡିପ୍ରେସନର ରୂପ ନେବା ସହ ୨୪ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବାର ଅଶଙ୍କା ରହିଛି। ପ୍ରଥମେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। କିନ୍ତୁ ଓଡ଼ିଶା ଉପକୂଳରେ ବାତ୍ୟାର ଆଶଙ୍କା ରହିଛି କି ନାହିଁ ସେ ନେଇ ଆଇଏମ୍‌ଡି ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ତେବେ ଏହାର ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ଏଥିପ୍ରତି ସତର୍କ ରହିବାକୁ କୁହାଯାଇଛି।

Share