ମାନସିକ ଚାପରୁ ମୁକୁଳି ବାତ୍ୟା ଅନୁଭୂତି ବଖାଣିଲେ ପିଲା

ପୁରୀ ଅଫିସ,୨୬ା୧୦: ବାତ୍ୟା ଫନୀରେ ପୁରୀ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଲକ୍ଷାଧିକ ଗଛ, ଘର, ବିଦ୍ୟୁତ୍‌ଖୁଣ୍ଟ ଭାଙ୍ଗି ପଡ଼ିିଥିଲା। ବାତ୍ୟା ପରେ ବିଦ୍ୟୁତ୍‌ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଅନେକ ଲୋକ ପିଇବା ପାଣି ପାଇଁ ହୀନସ୍ତା ହୋଇଥିଲେ। ସ୍କୁଲ, କଲେଜ ଭାଙ୍ଗିପଡ଼ିଥିବାରୁ ପାଠପଢାରେ ବ୍ୟାଘାତ ହୋଇଥିଲା। ଏ ସବୁକୁ ଅଙ୍ଗେ ନିଭାଇଥିବା କେତେକ ଶିଶୁ ମାନସିକ ସ୍ତରରେ ଚାପଗ୍ରସ୍ତ ହୋଇପଡ଼ିଥିଲେ। ଅନେକେ ଚୁପ୍‌ଚାପ ରହୁଥିଲେ। ତେଣୁ ଏହି ପିଲାମାନଙ୍କୁ ପୁଣି ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ଆଗେଇ ଆସିଥିଲା ୟୁନିସେଫ୍‌। ଏଡ୍‌ ଏଟ୍‌ ଆକ୍ସନ ଏବଂ ଶ୍ରୀନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦ (ଏସ୍‌ଏନଡିଏୱାଇପି) ସହାୟତାରେ ପୁରୀ ସଦର ବ୍ଲକର ୧୧ଟି ପଞ୍ଚାୟତରେ ୭୦ଟି ଶିଶୁ ଅନୁକୂଳ ସ୍ଥାନ କରାଯାଇଥିଲା। ସେହିପରି ନିମାପଡ଼ା ବ୍ଲକରେ ୪୦ଟି ଶିଶୁ ଅନୁକୂଳ ସ୍ଥାନ କରାଯାଇଥିଲା। ୫ ମାସ ଧରି ଏଠାରେ ଖେଳକୁଦ ମାଧ୍ୟମରେ ପିଲାମାନଙ୍କୁ ଚାପମୁକ୍ତ କରାଯିବା ସହ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି କାର୍ଯ୍ୟକ୍ରମ ହେଉଥିଲା। ଏହାର ଉଦ୍‌ଯାପନୀ ଉପଲକ୍ଷେ ଶନିବାର ସଂସ୍କୃତି ଭବନଠାରେ ଆୟାଜିତ ହୋଇଥିଲା ବିପର୍ଯ୍ୟୟ ଏବଂ ଶିଶୁ ସୁରକ୍ଷା ଉପରେ ଶିଶୁଙ୍କ ସହ ସମ୍ବାଦ କାର୍ଯ୍ୟକ୍ରମ। ଏଥିରେ ଏଡ୍‌ ଏଟ୍‌ ଆକ୍ସନର ୟୁମି ଡାନିଏଲ, ୟୁନିସେଫ୍‌ ଓଡ଼ିଶାର ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡ଼ୁ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ରନାରାୟଣ ସାହୁ, ପୁରୀ ଚାଇଲ୍ଡ ଲାଇନ ଅଧ୍ୟକ୍ଷ ଦେବାଶିଷ ରଥ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟ ହରିହର ନାୟକ, ଏସ୍‌ଏନ୍‌ଡିଏୱାଇପି ସମ୍ପାଦକ ବସନ୍ତ କୁମାର ମିଶ୍ର, ପୁରୀ ସଦର ସିଡିପିଓ ଚନ୍ଦ୍ରପ୍ରଭା ଦେଈ ଅତିଥି ଭାବେ ଯୋଗଦେଇଥିଲେ। ଶିଶୁ ଅନୁକୂଳ ସ୍ଥାନର ପିଲାମାନେ ଅତିଥିଙ୍କ ସମ୍ମୁଖରେ ବାତ୍ୟାର ଅନୁଭୂତି ବଖାଣିବା ସହିତ ତିଆରି କରିଥିବା ନିଜ ଗଁାର ମାନଚିତ୍ର ଏବଂ ବିପର୍ଯ୍ୟୟ ପ୍ରଶମନ ଯୋଜନା ବିଷୟରେ କହିଥିଲେ। ବିପର୍ଯ୍ୟୟ ସମୟରେ କିପରି ଶିଶୁ ତଥା କିଶୋରୀ କିଶୋରମାନଙ୍କ ଉପଯୁକ୍ତ ଯତ୍ନ ନିଆଯାଇପାରିବ ସେ ବିଷୟରେ ଅତିଥି ତଥା ସରକାରୀ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ଅତିଥିମାନେ ମଧ୍ୟ ବିପର୍ଯ୍ୟୟ ସମୟରେ କିପରି ଭାବେ ପିଲାମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଇପାରିବ ସେ ସମ୍ପର୍କରେ ବୁଝାଇଥିଲେ।

Share