ବାତ୍ୟା ‘ଅମ୍ଫନ’ର ପ୍ରଭାବ: ଖଇରାରେ ଶତାଧିକ କଚ୍ଚାଘର ଭାଙ୍ଗିଲା

ଖଇରା,୨୦।୫(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ’ର ପ୍ରଭାବରେ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ବହୁ କ୍ଷତିଗ୍ରସ୍ତ ହୋଇଛି। ଝଡ଼ବର୍ଷା ସହ ପବନରେ ବେଗ ବଢ଼ିବାରେ ଲାଗିଛି। ବହୁ ଚାଳଛପର ଓ ଆଜବେଷ୍ଟସ୍‌ ଘର ଭାଙ୍ଗିପଡ଼ିଛି। ସେହିପରି ବହୁ ଗଛ ଉପୁଡିବା ସହ ରାସ୍ତା ଉପରେ ପଡିବା କାରଣରୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଅଚ୍ୟୁତପୁର ପଞ୍ଚାୟତ ଓହଡ଼ ଗ୍ରାମର ଦାମୋଦର କରଙ୍କ ଅସ୍ଥାୟୀ ଚାଳଘର ପବନରେ ଉଡିଯିବା ଯୋଗୁ ସେ ବାସହୀନ ହୋଇପଡିଛନ୍ତି।ସେହିଭଳି ଗଛ ଭାଙ୍ଗି ପଡ଼ିବା କାରଣରୁ ବଣପାରିଆ ଗ୍ରାମ, ନୁଆସାହି ଗ୍ରାମ, ନନ୍ଦୁର ବ୍ରହ୍ମଚାରୀ ଗ୍ରାମର ବହୁ ପରିବାରଙ୍କ ବାସଗୃହ ଭାଙ୍ଗିଯାଇଥିବା ଜଣାପଡ଼ିଛି। ଗଣ୍ଡିବେଡ ବଜାରରେ ଗଛପଡି ଅନେକ ଦୋକାନ ଗୃହ ମଧ୍ୟ ନଷ୍ଟ ହୋଇଛି। ପବନ କମିବା ପରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ତହସିଲଦାର ପ୍ରଦୀପ ସାହୁ କହିଛନ୍ତି।