ବାତ୍ୟା ‘ଅମ୍ଫନ୍‌’ରେ ୧୫୧ କିମି ରାସ୍ତା ନଷ୍ଟ: ତୁରନ୍ତ ମରାମତି ପାଇଁ ଆବଶ୍ୟକ ୩ କୋଟି ୮୮ ଲକ୍ଷ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ବାତ୍ୟା ଅମ୍ଫନ୍‌ ଓ ବର୍ଷା ଯୋଗୁ ହୋଇଥିବା ରାସ୍ତା କ୍ଷୟକ୍ଷତି ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ୧୫୧ କିମି ରାସ୍ତା ନଷ୍ଟ ହୋଇଛି। ଏ ନେଇ ଗ୍ରାମ୍ୟ ଉନ୍ନୟନ ଯୁଗ୍ନ ସଚିବଙ୍କୁ ସର୍ବୋଚ୍ଚ ଯନ୍ତ୍ରୀ ଜଣାଇଛନ୍ତି। ରାସ୍ତାଗୁଡ଼ିକର ତୁରନ୍ତ ମରାମତି ପାଇଁ ୩ କୋଟି ୮୮ ଲକ୍ଷ ଦରକାର ଥିବା ସେ ଜଣାଇଛନ୍ତି। ସେହିଭଳି ଗଛ ସଫା ଓ ଆବର୍ଜନା ହଟାଇବାକୁ ୫୦ ଲକ୍ଷ ଦରକାର ଥିବା ସେ କହିଛନ୍ତି।

ପ୍ରକାଶ ଯେ, ବାତ୍ୟା ‘ଅମ୍ଫନ୍‌’ ଗତ ୨୦ରେ ଓଡ଼ିଶା ଉପକୂଳ ଦେଇ ସୁନ୍ଦରବନରେ ସ୍ଥଳଭାଗ ଛୁଇଁଥିଲା। ଏହାର ପ୍ରଭାବରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଜିଲା କ୍ଷତିଗ୍ରସ୍ତ ହୋଇଛି। ବଡ଼ ବଡ଼ ଗଛ ଉପୁଡ଼ିବା ସହ କଚ୍ଚା ଘର ମଧ୍ୟ ଭାଙ୍ଗିଯାଇଛି। ପ୍ରାଥମିକ ଆକଳନ ଅନୁସାରେ ରାଜ୍ୟର ୮୯ ବ୍ଲକର ୪୪ ଲକ୍ଷ ୮୦ ହଜାର ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରି ରାଜ୍ୟକୁ ଆଗୁଆ ୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଘୋଷଣା କରିଛନ୍ତି।

Share