ବାତ୍ୟା ଅମ୍ଫନ୍‌ ପ୍ରଭାବ: ସର୍ବାଧିକ ବର୍ଷା, ପବନ ରେକର୍ଡ

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ପାରାଦୀପଠାରୁ ୧୨୫ କିଲୋମିଟର ଦୂରରେ ରହିଛି ବାତ୍ୟା ଅମ୍ଫନ୍‌। ଘଣ୍ଟାକୁ ୧୪ କିଲୋମିଟର ବେଗରେ ଆସୁଥିବା ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା, ପବନ ଲାଗି ରହିଛି। କେଉଁଠି ରାତି ସାରା ଝିପି ଝିପି ବର୍ଷା ହେଉଛି ତ କେଉଁଠି ମୂଷଳ ଧାରାରେ ବର୍ଷୁଛି। ଦଲ୍‌କା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ଅମ୍ଫନ୍‌ ପ୍ରଭାବରେ ଦକ୍ଷିଣ, ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ବର୍ଷା, ପବନ ଲାଗି ରହିଛି। ପାରାଦୀପରେ ସବୁଠୁ ଅଧିକ ବର୍ଷା ଓ ପବନର ବେଗ ରେକର୍ଡ କରାଯାଇଛି। ପାରାଦୀପରେ ସର୍ବାଧିକ ୧୯୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୬୦.୪, ଭୁବନେଶ୍ୱରରେ ୪୫.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବାଲେଶ୍ୱରରେ ୫୨.୨, ପୁରୀରେ ୮୨, ଗୋପାଳପୁରରେ ୮.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ପବନର ବେଗ ପାରାଦୀପରେ ସର୍ବାଧିକ ରେକର୍ଡ କରାଯାଇଛି। ଏଠାରେ ଘଣ୍ଟାକୁ ୧୧୦ କିଲୋମିଟର ବେଗରେ ପବନ ବହୁଛି। ଚାନ୍ଦବାଲିରେ ୭୪ କିଲୋମିଟର, ଭୁବନେଶ୍ୱରରେ ୫୬, ବାଲେଶ୍ୱରରେ ୫୯, ପୁରୀରେ ୩୯ କିଲୋମିଟର ବେଗରେ ପବନ ବହିଥିବା ରେକର୍ଡ କରାଯାଇଛି। ଏସବୁ ସ୍ଥାନରେ ପବନର ବେଗ କିଛି ମାତ୍ରାରେ ବଢୁଥିବା ଜଣାପଡ଼ିଛି।

Share