ବାତ୍ୟା ‘ଅମ୍ଫନ୍‌’ ପ୍ରଭାବ: ଭଦ୍ରକରେ ବଢୁଛି ପବନର ବେଗ, ୧୩ ହଜାର ଲୋକଙ୍କୁ ସ୍ଥାନାନ୍ତର କଲାଣି ପ୍ରଶାସନ

ଭଦ୍ରକ ଅଫିସ,୨୦।୫- ଉପକୂଳ ଅତିକ୍ରମ କରୁଛି ବାତ୍ୟା ‘ଅମ୍ଫନ୍‌’। ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲାରେ ଝଡ଼ବର୍ଷା ଲାଗି ରହିଛି। ଭଦ୍ରକ ଜିଲାରେ ମଧ୍ୟ ଧିରେ ଧିରେ ପବନର ବେଗ ବଢ଼ିବାରେ ଲାଗିଛି। ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟାରୁ ଜିଲାରେ ବର୍ଷା ଲାଗିରହିଥିବା ବେଳେ ବୁଧବାର ସକାଳ ୬ଟାରୁ ପବନର ବେଗ ୭୭ କିମି ଆକଳନ କରାଯାଇଥିଲା। ଏବେ ଏହା ପର୍ଯ୍ୟାୟ କ୍ରମେ ବଢ଼ିବାରେ ଲାଗିଛି। ଜିଲାର ସମୁଦ୍ର କୁଳିଆ ବ୍ଲକ କୁହାଯାଉଥିବା ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୭୨ଟି ଗାଁରେ ହାଇଆଲର୍ଟ ଜାରି କରାଯାଇଛ। ଖବର ଲେଖାଯିବା ସୁଦ୍ଧା ପ୍ରାୟ ୧୩ ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳୀରେ ରଖାଯାଇଛି। ସେହିଭଳି ଜିଲାରେ ଏନ୍‌ଡିଆର୍‌ଏଫ୍‌ର ୩ ଟି ଓ ଓଡ୍ରାଫ୍‌ର ୨ଟି ଟିମ୍‌ ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି। ପ୍ରମୁଖ ଶାସନ ସଚିବ ଏସ୍‌ କେ ଲୋହାନୀ ଓ ଆଇଜି ଘନଶ୍ୟାମ ଉପାଧ୍ୟାୟ ଭଦ୍ରକରେ ମଙ୍ଗଳବାର ରାତିରୁ ଡେରା ପକାଇଛନ୍ତି। ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସଙ୍କ ସହ ଏହି ଦୁଇ ଅଧିକାରୀ ଆଲୋଚନା କରି ପରିସ୍ଥିତି ଉପରେ ନଜର ରଖିଥିବା ସୂଚନା ମିଳିଛି।

Share