ବାତ୍ୟା ‘ଅମ୍ଫନ’ ପ୍ରଭାବରେ ବାଲେଶ୍ୱରରେ ବ୍ୟାପକ କ୍ଷତି

ବାଲେଶ୍ୱର ଅଫିସ, ୨୧।୫-ବାତ୍ୟା ‘ଅମ୍ଫନ’ ପ୍ରଭାବରେ ବାଲେଶ୍ୱର ଜିଲାର ବିଭିନ୍ନ ବ୍ଲକରେ ସର୍ବାଧିକ ଚାଷଜମି ନଷ୍ଟ ହୋଇଛି। ଏହାସହ ବହୁତଗୁଡିଏ କଚ୍ଚାଘର ଭାଙ୍ଗିଯିବା, ବିଦ୍ୟୁତ୍‌ ଭିତ୍ତିଭୂମି ନଷ୍ଟ ଓ ବଡ ବଡ ଗଛ ଉପୁଡି ପଡିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି।
ଭୋଗରାଇ, ଜଳେଶ୍ୱର, ବାଲିଆପାଳ, ବସ୍ତା, ବାଲେଶ୍ୱର, ରେମୁଣା, ସୋର, ବାହାନଗା, ସିମୁଳିଆ, ଖଇରା, ଔପଦା, ନୀଳଗିରି ଅଞ୍ଚଳରେ ଆନୁମାନିକ ୯୨୦୬ ହେକ୍ଟର ଜମିରେ ହୋଇଥିବା ଚାଷ ନଷ୍ଟ ହୋଇଯାଇଛି। ସେଥିମଧ୍ୟରୁ ୨୩୧ ପଞ୍ଚାୟତର ୨୮୯୮ ଗ୍ରାମ ଏବଂ ୪ଟି ସହରାଞ୍ଚଳର ୪୪ଟି ୱାର୍ଡ଼ର ୪୯, ୫୬୪ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାଣ ହରାଇଥିବା ପଶୁପକ୍ଷୀଙ୍କ ମଧ୍ୟରୁ ୧୦୦ କୁକୁଡା ଓ ୪ ଅନ୍ୟାନ୍ୟ ପ୍ରାଣୀ, ୩୫ କଚ୍ଚାଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୩୬୭୧ କଚ୍ଚା ଘର ଓ ୩୭ଟି ପକ୍କା ଘର ଆଂଶିକ ନଷ୍ଟ ହୋଇଛି। ଲୋକମାନେ ବସବାସ କରୁଥିବା ୭୦୫ଟି କୁଡ଼ିଆ ଏବଂ ୨୯୪ଟି ଗୁହାଳ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏମାନଙ୍କୁ ସରକାରଙ୍କ ତରଫରୁ ଜରୁରୀକାଳୀନ ରିଲିଫ୍‌ ସାମଗ୍ରୀ ଭାବେ ୧୨ କୁଇଣ୍ଟାଲ ଚାଉଳ, ୮୩ କୁଇଣ୍ଟାଲ ଚୁଡ଼ା, ୨ କୁଇଣ୍ଟାଲ ଗୁଡ଼ଚିନି ଯୋଗାଇ ଦିଆଯାଇଛି। ଅନ୍ୟପକ୍ଷରେ ୧୨ଟି ମେଡିକାଲ ଟିମ୍‌ ଏବଂ ୧୨ଟି ପ୍ରାଣୀ ଚିକିତ୍ସକ ଟିମ୍‌ ପକ୍ଷରୁ ସେବା ଯୋଗାଇ ଦିଆଯାଇଛି। ୪୫.୮୬ କୋଟି ମୂଲ୍ୟରେ ବିଦ୍ୟୁତ ଭିତ୍ତିଭୂମି ନଷ୍ଟ ହୋଇଛି। ଅନ୍ୟପକ୍ଷରେ ଅନ୍ୟାନ୍ୟ ଭିତ୍ତିଭୂମି କ୍ଷତିର ଆକଳନ କରାଯାଉଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାଯାଇଛି।