ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଅଗ୍ନିଶମ, ଓଡ୍ରାଫ ଟିମ୍‌: ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କଲେ ଅଗ୍ନିଶମ ଡିଜି

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାରେ ବ୍ୟାପକ କ୍ଷତି ଘଟିଛି। କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲାରେ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡ଼ିଥିବାବେଳେ ବ୍ୟାପକ ଘର ଭାଙ୍ଗିଛି। ବିଶେଷକରି ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିପଡିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବାଟ ସଫା କରିବା ସହ ଲୋକଙ୍କୁ ଉଦ୍ଧାର କରିବାରେ ଏକାଧିକ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍‌ ନିୟୋଜିତ ରହିଛନ୍ତି। ବର୍ଷା ଓ ପବନ ପୂର୍ବରୁ ଏବଂ ପରେ ବିପଦପୂର୍ଣ୍ଣ ଘରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି ବୋଲି ଅଗ୍ନିଶମ ଡିଜି ବି.କେ. ଶର୍ମା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ପାରାଦୀପ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀ ନିୟୋଜିତ ରହିଛନ୍ତି। ଉପୁଡି ପଡିଥିବା ଗଛଗୁଡିକୁ କାଟି ଯୋଗାଯୋଗ ଓ ଯାତାୟାତ ବ୍ୟବସ୍ଥାକୁ ସ୍ବାଭାବିକ କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ଟିମ୍‌ଗୁଡ଼ିକୁ ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଆଯାଇଛି। ଯେଉଁମାନେ ବାତ୍ୟା ଆଶ୍ରୟସ୍ଥଳୀରେ ଅଛନ୍ତି ସେମାନଙ୍କୁ ମଧ୍ୟ ଅଗ୍ନିଶମ କର୍ମଚାରୀ ଶୁଖିଲା

ଖାଦ୍ୟ ଖାଇବାକୁ ଦେଉଛନ୍ତି। ଜଣେ ଦକ୍ଷ ଅଫିସର ଟିମ୍‌ ଦାୟିତ୍ୱରେ ରହିଛନ୍ତି। ସ୍ଥାନୀୟ ପୋଲିସ ଓ ପ୍ରଶାସନର ସହଯୋଗରେ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍‌ ଭଲ କାର୍ଯ୍ୟ କରୁଥିବା ଡିଜିପି ଶର୍ମା କହିଛନ୍ତି। ଏପରି କି ଜଣେ ପ୍ରସୂତିଙ୍କୁ ବର୍ଷାରେ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବାରୁ ଏହାକୁ ଡିଜିପି ପ୍ରଶଂସା କରିଛନ୍ତି। ବାତ୍ୟା ଫନୀ ସମୟରେ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟ୍ରିମ୍‌ ଭଲ କାର୍ଯ୍ୟ କରିଥିଲେ। ଗଛ କାଟିବାଠାରୁ ଆରମ୍ଭ କରି ଲୋକଙ୍କୁ ଉଦ୍ଧାର କରିବା, ପାଣି ଓ ରିଲିଫ ବାଣ୍ଟିବା ଆଦି କାଯର୍‌ୟ କରି ପ୍ରଶଂସିତ ହୋଇଥିଲେ।

Share