ବାତ୍ୟା କ୍ଷୟକ୍ଷତି ସମୀକ୍ଷା କଲେ ବିଧାୟକ

ଭୋଗରାଇ, ୧୧ା୧୧(ଡି.ଏନ.ଏ.)-ସାମୁଦ୍ରିକ ଝଡ଼ ‘ବୁଲବୁଲ ଶୁକ୍ରବାରଠାରୁ ଶନିବାର ରାତି ପର୍ଯ୍ୟନ୍ତ ବାଲେଶ୍ୱର ଉପକୂଳବାସୀଙ୍କ ଆଖିରୁ ନିଦ ଉଡ଼ାଇ ଦେଇଥିଲା। ଶନିବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପବନର ବେଗ ବଢ଼ୁଥିବା ବେଳେ ଅବିଶ୍ରାନ୍ତ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା। ବାତ୍ୟାରେ ଉତ୍ତର ବାଲେଶ୍ୱରର ଜଳେଶ୍ୱର, ବାଲିଆପାଳ, ବସ୍ତା ଓ ଭୋଗରାଇ ବ୍ଲକ୍‌ରେ ଖରିଫ ଧାନ, ପନିପରିବା ଚାଷ ଉପରେ ବର୍ଷାପାଣି ଲହଡ଼ି ଭାଙ୍ଗିବା ସହ ଚାଷୀକୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଗତ ଶୁକ୍ରବାର ଓ ଶନିବାର ଭୋଗରାଇରେ ୧୩୮ ମି.ମି. ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି। ବହୁ ପାନବରଜ, ନଡ଼ା ଛପର, ଆଜବେଷ୍ଟସ ଓ ସ୍କୁଲ ଘରେ ବଡ଼ ବଡ଼ ଗଛ ଭାଙ୍ଗିପଡ଼ିବାରୁ ଲୋକେ ବାସହରା ହୋଇଛନ୍ତି ା ରବିବାର ପୂର୍ବାହ୍ନରେ ଭୋଗରାଇ ବ୍ଲକ୍‌ ସମ୍ମିଳନୀ କକ୍ଷରେ ବିଧାୟକ ତଥା ଜିଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଅନନ୍ତ ଦାସ ବାତ୍ୟାର କ୍ଷୟକ୍ଷତିର ଆକଳନ ପାଇଁ ଏକ ଜରୁରୀ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଭୋଗରାଇ ବ୍ଲକର କୃଷି, ସ୍କୁଲ ଗୃହ, ରାସ୍ତା, ଘରଭଙ୍ଗା ପାଣି ନିଷ୍କାସନ, ପାନୀୟ ଜଳ ଓ ବିଦ୍ୟୁତ୍‌ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଭୋଗରାଇ ବ୍ଲକ୍‌ରେ ୯୦ ପ୍ରତିଶତ ଧାନଚାଷ କ୍ଷତି ହୋଇଥିବା ଆକଳନ କରାଯାଇଥିଲା। ଏଥିସହିତ ଯୁଦ୍ଧକାଳୀନ ଭିତ୍ତିରେ ଘର ଭାଙ୍ଗିଯାଇଥିବା ଲୋକଙ୍କୁ ପଲିଥିନ ଦେବା ସହିତ ସ୍କୁଲ ଘର ମରାମତି ପାଇଁ ଖୁବ୍‌ଶୀଘ୍ର ରିପୋର୍ଟ ଦେବାକୁ କୃଷି ଅଧିକାରୀ ଓ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ବିଧାୟକ ତାଗିଦ୍‌ କରିଥିଲେ ା ବାଟଗ୍ରାମଠାରେ ଆପ୍ରୋଚ୍‌ ରୋଡ଼ ପାଇଁ ବ୍ଲକ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୀପକ କୁମାର ଦାସ ୨୬ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ପ୍ରକାଶ କରିଥିଲେ। ଏଥିସହିତ ଭୋଗରାଇଠାରୁ ଚଟାଣ ୪ କି.ମି. ଓ ଥାନାଛକରୁ ୬ କି.ମି. ପୂର୍ତ୍ତ ବିଭାଗ ଦ୍ୱାରା ୧୫ କୋଟି ୫୦ ଲକ୍ଷ ଟଙ୍କାର ନାବାର୍ଡ଼ ଅର୍ଥରେ ରାସ୍ତା କାର୍ଯ୍ୟ ହେବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଥିଲେ। ୩ ଦିନ ମଧ୍ୟରେ ଭୋଗରାଇର ସମସ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବିଡ଼ିଓ ଦିପ୍ତିରଞ୍ଜନ ସେଠୀ, ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ବିଜେଡ଼ି ସଭାପତି ରମାକାନ୍ତ କରଣ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ହେମନ୍ତ ବେହେରା ସହିତ କୃଷି, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ, ଶିକ୍ଷାଧିକାରୀ, ପାନୀୟ ଜଳ, ସହକାରୀ ଯନ୍ତ୍ରୀ ଓ ଜନପ୍ରତିନିଧିମାନେ ବାତ୍ୟାଜନିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ା